ବିଜେଡ଼ିର ଉତ୍ତରାଧିକାରୀ ନବୀନଙ୍କ ପରିବାରରୁ ନୁହେଁ, ବରଂ ସାଧାରଣ ଲୋକଙ୍କ ଚୟନରେ ହେବ

Published: May 28, 2019, 2:00 pm IST

ବିଜେଡ଼ିର ଉତ୍ତରାଧିକାରୀ ନେଇ ଚାଲିଛି ଚର୍ଚ୍ଚା। ନବୀନଙ୍କ ପରେ ବିଜେଡ଼ିର କିଏ ମଙ୍ଗ ଧରିବ ଏନେଇ ବହୁତ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏହାକୁ ନେଇ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ଉତ୍ତରାଧିକାରୀ ସୂତ୍ରରେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଚୟନ କରିବେ ବୋଲି ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା। ତେବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ। ତାଙ୍କ ପରିବାରରକୁ କେହି ରାଜନୀତିକୁ ଆସିବେ ନାହିଁ ସ୍ପଷ୍ଟ କରିଛନ୍ତି ନବୀନ।  ଲୋକମାନେ ପରବର୍ତ୍ତୀ ନେତା ବାଛିବେ ବୋଲି ସେ କହିଛନ୍ତି। ନବୀନ ପଟ୍ଟନାୟକ ଆସନ୍ତା ମେ ୨୯ରେ ଓଡ଼ିଶା ରାଜନୀତିରେ ତାଙ୍କର ପଞ୍ଚମ ଇନିଂସ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଥମ ଥର ରାଜଭବନ ବାହାରେ ପ୍ରଦର୍ଶନୀ ପଡ଼ିଆରେ ଶପଥ ସମାରୋହ ଆୟୋଜିତ ହୋଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗ ଦେବାର ରହିଛି। ସେହିପରି ଚଳିତ ଥର ଦୁଇଟି ଦୁଇଟି ଆସନରୁ ନିର୍ବାଚନ ଲଢି ଜିତିଥିବା ନବୀନ କେଉଁ ଆସନକୁ ଛାଡ଼ିବେ ସେନେଇ ମଧ୍ୟ ସସପେନ୍ସ ଲାଗି ରହିଛି। ଉଭୟ ହିଞ୍ଜିଳି ଓ ବିଜେପୁରୁର ନିର୍ବାଚନ ଲଢିଥିଲେ ନବୀନ।

Related posts