
ନୂଆଦିଲ୍ଲୀ: କଂଗ୍ରେସ ମିଡିଆ ବିଭାଗର ମୁଖ୍ୟ ପୱନ ଖେଡା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ୱାରକା କୋର୍ଟରୁ ଜାମିନ ପାଇଛନ୍ତି। ତାଙ୍କୁ ଆଜି ଦିଲ୍ଲୀ ବିମାନବନ୍ଦରରୁ ଆସାମ ପୋଲିସ ଗିରଫ କରିଥିଲା। ଏହାପୂର୍ବରୁ ପୱନ ଖେଡାଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର (ଫେବୃଆରୀ 27) ଦିନ ହେବ। ସୁପ୍ରିମକୋର୍ଟରେ ଆସାମ ପୋଲିସ କହିଛି ଯେ, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୱନ ଖେଡା ‘ଅପମାନଜନକ ମନ୍ତବ୍ୟ’ ଦେଇଛନ୍ତି। ଆସାମ ପୋଲିସ କହିଛି ଯେ, ପୱନ ଖେଡାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରରେ ଗିରଫଦାରୀରୁ ସୁରକ୍ଷା ପାଇଁ ଦାଖଲ ହୋଇଥିବା ରିଟ ପିଟିସନର ଉତ୍ତର ଦେବାକୁ ଚାହୁଁଛି।