କେନ୍ଦ୍ର ସରକାରଙ୍କ ବଡ ବିଜୟ, ଅଗ୍ନିପଥ ଯୋଜନା ବିରୋଧରେ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

Published: Feb 27, 2023, 12:28 pm IST

ନୂଆଦିଲ୍ଲୀ: ଅଗ୍ନିପଥ ନିଯୁକ୍ତି ଯୋଜନା ମାମଲାରେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ଏକ ବଡ଼ ବିଜୟ ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବୈଧ ବୋଲି କୋର୍ଟ ଘୋଷଣା କରିଛନ୍ତି। ଏହା ସହ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକ ଖାରଜ ହୋଇଯାଇଛି। ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଛନ୍ତି। ଏହାପୂର୍ବରୁ ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଶୁଣାଣି ସମୟରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାକୁ ସମର୍ଥନ କରିଥିଲେ। ସଶସ୍ତ୍ର ବାହିନୀରେ ଯୁବକ ନିଯୁକ୍ତି ପାଇଁ ଗତ ବର୍ଷ ଜୁନ୍ ୧୪ ତାରିଖରେ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାର ନିୟମ ଅନୁଯାୟୀ, ୧୭ ବର୍ଷ​​ରୁ ୨୧ ବର୍ଷ ବୟସର ଲୋକମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ଏବଂ ସେମାନଙ୍କୁ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ଅଧୀନରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ନିୟମିତ ହେବ।

ଅଗ୍ନିପଥ ଆରମ୍ଭ ହେବା ପରେ ଅନେକ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରାଯାଇଥିଲା। ପରେ, ସରକାର ୨୦୨୨ ମସିହାରେ ନିଯୁକ୍ତି ପାଇଁ ବୟସ ସୀମାକୁ ବୃଦ୍ଧି କରି ୨୩ ବର୍ଷ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ସମେତ ଅନେକ ହାଇକୋର୍ଟରେ ଆବେଦନ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related posts