ସଙ୍ଗୀତମୟ ପରିବେଶ ମଧ୍ୟରେ ଓଡ଼ିଶୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ

Published: Mar 29, 2023, 10:39 pm IST

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ମଙ୍ଗଳବାର ସନ୍ଧ୍ୟାରେ ଗବେଷଣା କେନ୍ଦ୍ର ପରିସରରେ ଥିବା ପ୍ରେକ୍ଷାଳୟ ‘ଉତ୍କଳ ରଂଗମଞ୍ଚ’ରେ ଏକ ସଙ୍ଗୀତମୟ ପରିବେଶ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଆମ ପ୍ରାଚୀନ ପରମ୍ପରା, ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତର ପ୍ରଚାର, ପ୍ରସାର ଏବଂ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଏବଂ ବର୍ତ୍ତମାନର ପୀଢ଼ିର କଳାକାରମାନଙ୍କୁ ଶାସ୍ତ୍ରୀୟତା ସହିତ ଅନ୍ତରଙ୍ଗ ଭାବରେ ପରିଚୟ କରାଇବା ଏବଂ ଆକୃଷ୍ଟ କରିବା ଏହି ଉତ୍ସବର ଥିଲା ମୁଖ୍ୟ ଉଦ୍ଦେଶ୍ୟ।

ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଗାୟିକା ପଦ୍ମଶ୍ରୀ ଶ୍ୟାମମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଉତ୍ସବର ପ୍ରଥମ ସୋପାନରେ ବରିଷ୍ଠ କଣ୍ଠଶିଳ୍ପୀ ରଘୁନାଥ ପାତ୍ର ତିନୋଟି ଶ୍ରୁତିମଧୁର ପାରମ୍ପରିକ ଓଡ଼ିଶୀ ସଂଗୀତ ଗାୟନ କରିଥିଲେ। ପରେ ପରେ ବିଶିଷ୍ଟ ଶିଳ୍ପୀ କେ. ରାମାରାଓ ପାତ୍ରଙ୍କ ବୀଣା ବାଦନ ଉପସ୍ଥିତ ଦର୍ଶକଙ୍କୁ ଏକାଗ୍ରତାରେ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମର ତୃତୀୟ ସୋପାନରେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସୁକନ୍ୟା ସଙ୍ଗୀତା ପଣ୍ଡା ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ମର୍ଦ୍ଦଳ ବାଦକ ଜଗନ୍ନାଥ କୁଅଁରଙ୍କ ମର୍ଦ୍ଦଳ ବାଦନ ସହିତ ଉତ୍ସବ ସମାପନ ହୋଇଥିଲା।

ଏହି ସାଂସ୍କୃତିକ ଉତ୍ସବରେ ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟି, ଗୁରୁ ନିରଞ୍ଜନ୍ ରାଉତ, ଗାୟକ, ବାଦକ, ନୃତ୍ୟଶିଳ୍ପୀ ଆଦି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ। ମୁଖ୍ୟନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର, ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। ସଂଯୋଜନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ।

ଏହି ଦୁଇଦିନିଆ ଉତ୍ସବକୁ ଶୃଙ୍ଖଳାର ସହିତ ସଂଚାଳନାରେ ସହଯୋଗ କରିଥିଲେ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀବୃନ୍ଦ।

Related posts