Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଉଦଘାଟିତ ହେଲା ଗୋଟିପୁଅ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪’ ଆଜି ଅପରାହ୍ନରେ ଏହାର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଂଗମଞ୍ଚରେ ଉଦ୍‌ଘାଟିତ ହୋଇଯାଇଛି।

ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭ ଉଦ୍‌ଘାଟନ କରିବା ସହିତ ନୃତ୍ୟ ପରିବେଷଣ କରିବାକୁ ଥିବା ଅନୁଷ୍ଠାନର ଗୁରୁମାନଙ୍କୁ ମଂଚରେ ସମ୍ବର୍ଦ୍ଧିତ କରିଥିଲେ।

ଏହା ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଭବ୍ୟ ଉତ୍ସବରେ ରାଜ୍ୟର ପ୍ରାୟ ୨୦ଟି ଗୋଟିପୁଅ ସଂଗଠନ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଆଜି ଅପରାହ୍ନ ଓ ସନ୍ଧ୍ୟାର ଅଧିବେଶନରେ ୧୦ ଗୋଟି ସଂଗଠନ ପୃଥକ ପୃଥକ ଭାବରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ।

ସେମାନଙ୍କ ମଧ୍ୟରେ ଥିଲେ କୈଳାସ ଗୋଟିପୁଅ ନୃତ୍ୟ ପ୍ରତିଷ୍ଠାନ, ସାକ୍ଷୀଗୋପାଳ: ଆରାଧନା ଡ୍ୟାନ୍ସ ଏକାଡେମୀ, ପ୍ରଧାନ ସାହି, ଖୋର୍ଦ୍ଧା: ଜୟଦେବ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ, ଭିଙ୍ଗାରପୁର, ଖୋର୍ଦ୍ଧା: କସା ଗୋଟିପୁଅ, ଚନ୍ଦନପୁର, ପୁରୀ: ନୃତ୍ୟାମ୍ବର, ପୁରୀ: ବାବା ଗୋରେଖନାଥ ଗୋଟିପୁଅ ଡ୍ୟାନ୍ସ ଆସୋସିଏସନ୍‌, ପୁରୀ: ବାଙ୍କେଶ୍ୱରୀ ଗୋଟିପୁଅ ନୃତ୍ୟ ପରିଷଦ, ପୁରୀ: ଅଭିନ୍ନ ସୁନ୍ଦର ଗୋଟପୁଅ ନୃତ୍ୟ ପରିଷଦ, ପୁରୀ: ନକ୍ଷତ୍ର ଗୁରୁକୁଳ ଟ୍ରଷ୍ଟ, ଭୁବନେଶ୍ୱର ଓ ଲକ୍ଷ୍ମୀପ୍ରିୟା ଗୋଟିପୁଅ, ବାଲିପାଟଣା, ଖୋର୍ଦ୍ଧା।

ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ବିଗତ ୧୦ ବର୍ଷର ବ୍ୟବଧାନରେ ଏହି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଗତ ୨୦୧୩ ମସିହାରେ ଅନୁଷ୍ଠାନ ଦ୍ୱାରା ଗୋଟିପୁଅ ଉତ୍ସବ ପାଳନ କରାଯାଇଥିଲା।

ଆମ ସଂସ୍କୃତି ସହିତ ଜଡ଼ିତ ଏହି ପାରମ୍ପରିକ ଗୋଟିପୁଅ ନୃତ୍ୟକୁ ଉଜ୍ଜୀବିତ ରଖିବା ନିମନ୍ତେ ଆଗାମୀ ଦିନମାନଙ୍କରେ ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯିବ ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସିକତା ଦାସ ଏହି ଉତ୍ସବରେ ଯୋଗଦେଇ ତାଙ୍କ ଅଭିଭାଷଣରେ ବ୍ୟକ୍ତ କରିଥିଲେ।

ଏହି ଉତ୍ସବକୁ ସଂଯୋଜନା କରିଥିଲେ ଡଃ ଶ୍ରୀନିବାସ ଘଟୁଆରୀ ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର।

Categories
ଆଜିର ଖବର ରାଜ୍ୟ ଖବର

ସଙ୍ଗୀତମୟ ପରିବେଶ ମଧ୍ୟରେ ଓଡ଼ିଶୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ମଙ୍ଗଳବାର ସନ୍ଧ୍ୟାରେ ଗବେଷଣା କେନ୍ଦ୍ର ପରିସରରେ ଥିବା ପ୍ରେକ୍ଷାଳୟ ‘ଉତ୍କଳ ରଂଗମଞ୍ଚ’ରେ ଏକ ସଙ୍ଗୀତମୟ ପରିବେଶ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଆମ ପ୍ରାଚୀନ ପରମ୍ପରା, ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତର ପ୍ରଚାର, ପ୍ରସାର ଏବଂ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଏବଂ ବର୍ତ୍ତମାନର ପୀଢ଼ିର କଳାକାରମାନଙ୍କୁ ଶାସ୍ତ୍ରୀୟତା ସହିତ ଅନ୍ତରଙ୍ଗ ଭାବରେ ପରିଚୟ କରାଇବା ଏବଂ ଆକୃଷ୍ଟ କରିବା ଏହି ଉତ୍ସବର ଥିଲା ମୁଖ୍ୟ ଉଦ୍ଦେଶ୍ୟ।

ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଗାୟିକା ପଦ୍ମଶ୍ରୀ ଶ୍ୟାମମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଉତ୍ସବର ପ୍ରଥମ ସୋପାନରେ ବରିଷ୍ଠ କଣ୍ଠଶିଳ୍ପୀ ରଘୁନାଥ ପାତ୍ର ତିନୋଟି ଶ୍ରୁତିମଧୁର ପାରମ୍ପରିକ ଓଡ଼ିଶୀ ସଂଗୀତ ଗାୟନ କରିଥିଲେ। ପରେ ପରେ ବିଶିଷ୍ଟ ଶିଳ୍ପୀ କେ. ରାମାରାଓ ପାତ୍ରଙ୍କ ବୀଣା ବାଦନ ଉପସ୍ଥିତ ଦର୍ଶକଙ୍କୁ ଏକାଗ୍ରତାରେ ବାନ୍ଧି ରଖିଥିଲା। କାର୍ଯ୍ୟକ୍ରମର ତୃତୀୟ ସୋପାନରେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସୁକନ୍ୟା ସଙ୍ଗୀତା ପଣ୍ଡା ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ମର୍ଦ୍ଦଳ ବାଦକ ଜଗନ୍ନାଥ କୁଅଁରଙ୍କ ମର୍ଦ୍ଦଳ ବାଦନ ସହିତ ଉତ୍ସବ ସମାପନ ହୋଇଥିଲା।

ଏହି ସାଂସ୍କୃତିକ ଉତ୍ସବରେ ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟି, ଗୁରୁ ନିରଞ୍ଜନ୍ ରାଉତ, ଗାୟକ, ବାଦକ, ନୃତ୍ୟଶିଳ୍ପୀ ଆଦି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ। ମୁଖ୍ୟନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର, ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। ସଂଯୋଜନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ।

ଏହି ଦୁଇଦିନିଆ ଉତ୍ସବକୁ ଶୃଙ୍ଖଳାର ସହିତ ସଂଚାଳନାରେ ସହଯୋଗ କରିଥିଲେ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀବୃନ୍ଦ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

“ଓଡ଼ିଶୀ ସଙ୍ଗୀତ ଉତ୍ସବ” ଉଦ୍‌ଘାଟିତ: କାଳଜୟୀ ପାରମ୍ପରିକ ରଚନାକୁ ନେଇ ସଂଗୀତ ପରିବେଷଣ

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ଆଜି ସନ୍ଧ୍ୟାରେ ଗବେଷଣା କେନ୍ଦ୍ରର ଭବ୍ୟ ପ୍ରେକ୍ଷାଳୟ ‘ଉତ୍କଳ ରଂଗମଚ’ରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଆମ ସଂସ୍କୃତିର ଅନ୍ୟ ଏକ ଅଙ୍ଗ ଓଡ଼ିଶୀ ସଂଗୀତ ର ବହୁଳ ପ୍ରଚାର ଏବଂ ପ୍ରସାର କରି ଦେଶ ଏବଂ ଦେଶ ବାହାରେ ଅଧିକରୁ ଅଧିକ ଜନାଦୃତ କରାଇବା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀ ରଞ୍ଜନ କୁମାର ଦାସ, ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ କୁମ୍‌କୁମ୍ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଚରଣରେ ବରିଷ୍ଠ କଣ୍ଠଶିଳ୍ପୀ ଆଶାଲତା ଷଡଙ୍ଗୀ ପାରମ୍ପରିକ ଓଡ଼ିଶୀ ସଂଗୀତ ଗାୟନ କରିଥିଲେ। ତାଙ୍କ ଦ୍ୱାରା ପରିବେଷିତ ଛାନ୍ଦ “ଶ୍ରୀରାଧା ବାତୁଳୀ.. ପ୍ରେମ ରସାତୂଳି..” ସଙ୍ଗୀତ ବେଶ୍ ଶ୍ରୁତିମଧୁର ହୋଇଥିଲା। ପରେ ପରେ ବିଶିଷ୍ଟ ବେହେଲା ବାଦକ ରମେଶ ଚନ୍ଦ୍ର ଦାସ ବେହେଲା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ତୃତୀୟ ଚରଣରେ ସୁନାମଧନ୍ୟା କଣ୍ଠଶିଳ୍ପୀ ନାଜିଆ ଆଲାମ୍ ସୁମଧୁର ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ।

କାର୍ଯ୍ୟକ୍ରମର ଶେଷରେ ବିଶିଷ୍ଟ ସୀତାର ବାଦକ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଏବଂ ସ୍ୱନାମଧନ୍ୟ ବଂଶୀ ବାଦକ ଶ୍ରୀନିବାସ ଶତପଥୀଙ୍କ ସୀତାର ଓ ବଂଶୀ ଉଭୟ ଯୁଗଳବନ୍ଦୀର ସୁନ୍ଦର ପରିବେଷଣ ଉପସ୍ଥିତ ସମସ୍ତ ଦର୍ଶକଙ୍କ ଠାରୁ ଭୂରୀ ଭୂରୀ କରିତାଳି ସାଉଁଟିଥିଲା।

ଏହି ସାଂସ୍କୃତିକ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଓଡ଼ିଶୀ ସଙ୍ଗୀତ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ, ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା,ବରିଷ୍ଠ ଓଡ଼ିଶୀ ସଂଗୀତ ଗବେଷକ କୀର୍ତ୍ତନ ନାରାୟଣ ପାଢୀଙ୍କ ସମେତ ଅନେକ ଗାୟକ, ବାଦକ ଓ ନୃତ୍ୟଶିଳ୍ପୀ ଆଦି ଯୋଗଦାନ କରିଥିଲେ।

ମୁଖ୍ୟନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର, ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। ସଂଯୋଜନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ। ଆସନ୍ତାକାଲି ଏହି ଉତ୍ସବର ଉଦ୍‌ଯାପନୀ ସଂଧ୍ୟା ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ “ଓଡ଼ିଶୀ ଆସର” ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଂଗମଞ୍ଚ”ରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉଭୟ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଂଗୀତର ଭାବଧାରାକୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରତି ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଗୁରୁ ଏବଂ ଶିକ୍ଷାନବୀଶ ତଥା ଛାତ୍ରଛାତ୍ରୀମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥାଆନ୍ତି। ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉଦ୍ଦେଶ୍ୟରେ ଏହା ସରକାରୀ ସ୍ତରରେ ଅନନ୍ୟ ପଦକ୍ଷେପ।

ଅନୁଷ୍ଠିତ ଏହି “ଓଡ଼ିଶୀ ଆସର” କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁନିତାରାଣୀ ବିଶ୍ୱାଳ (ଏକକ ଗାୟନ), ଅର୍ପିତା ସାହୁ ଏବଂ ସ୍ମୃତିରେଖା ପ୍ରତିହାରୀ (ଦ୍ୱେତ ଗାୟନ), ରାସବିହାରୀ ନାଥ, ଅତିଥି କଳାକାର (ଏକକ ଗାୟନ) ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ। ପରେ ପରେ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ ସୌମ୍ୟରଞ୍ଜନ ନାୟକ, ଅତିଥି କଳାକାର ଏବଂ କାର୍ଯ୍ୟକ୍ରମ ଶେଷରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ, ଅତିଥି କଳାକାର ମିନତୀ ପ୍ରଧାନ। ବାଦ୍ୟଯନ୍ତ୍ରରେ ସେମାନଙ୍କୁ ସହଯୋଗ କରିଥିଲେ – ଗୁରୁ କେଶବ ଚନ୍ଦ୍ର ରାଉତ, ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର୍‌), ରମେଶ ଚନ୍ଦ୍ର ଦାଶ (ବେହେଲା), କାଳନ୍ଦୀ ଚରଣ ପରିଡ଼ା (ମର୍ଦ୍ଦଳ)।

ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। ଉକ୍ତ କାର୍ଯ୍ୟକ୍ରମ ଦର୍ଶକ ମହଲରେ ବେଶ୍ ଆଦୃତ ହେବା ସହିତ ଏହିପରି କାର୍ଯ୍ୟକ୍ରମ ଅଧିକ ଆୟୋଜନ ହେବା ନିମନ୍ତେ ଦର୍ଶକ ମହଲରେ ଆଲୋଚନା ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶୀ ସଂଗୀତର ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂଗୀତ ସଂଧ୍ୟା

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡ଼ିଶୀ ସଂଗୀତ ଜଗତର ପ୍ରଖ୍ୟାତ ଏବଂ ପ୍ରବୀଣ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗ ମଂଚରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପ୍ରଥମେ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ ବରିଷ୍ଠ ଓଡିଶୀ ସଂଗୀତ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଯିଏ କି ତାଙ୍କର ବାଲ୍ୟ ଜୀବନରେ ସ୍ୱର୍ଗତ ଶ୍ୟାମସୁନ୍ଦର କରଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରେ ପରେ ଗୁରୁ କେଶବ ଚନ୍ଦ୍ର ରାଉତ ଏବଂ ଗୁରୁ ଅଚ୍ୟୁତ ମହାରଣା ଓଡ଼ିଶୀସଂଗୀତ ପରିବେଷଣ କରିଥିଲେ।

ଶେଷରେ ଶ୍ରୀଜଗନ୍ନାଥ ମର୍ଦଳ ପ୍ରତିଷ୍ଠାନ ,ପୁରୀର ଛାତ୍ରୀମାନେ ସମୂହ ଓଡ଼ିଶୀ ମର୍ଦ୍ଦଳ ପରିବେଷଣ କରିଥିଲେ। ଉକ୍ତ ସଂଗୀତଭିତ୍ତିକ କାର୍ଯ୍ୟକ୍ରମଟି ଖୁବ୍ ଚିତ୍ତାକର୍ଷକ ଏବଂ ଦର୍ଶକଙ୍କ ମହଲରେ ଖୁବ୍ ଆଦୃତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ବରିଷ୍ଠ ଓଡ଼ିଶୀ ସଂଗୀତ ଗବେଷକ ଡକ୍ଟର କୀର୍ତ୍ତନ ନାରାୟଣ ପାଢୀ, ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ତାରିଣୀ ମିଶ୍ରଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଶ୍ରଜିତ୍ ବଳିଆର ସିଂ ସଂଯୋଜନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ସଂସ୍କୃତି

ବିଦେଶୀ ନୃତ୍ୟଶିିଳ୍ପୀଙ୍କ ନୃତ୍ୟରେ ଝଙ୍କୃତ ହେଲା ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସରେ ଓଡିଶା ସମେତ ଦେଶ ବିଦେଶରୁ ଯୋଗଦେଇଥିବା ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଆଜି ସକାଳେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ,ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର,ସଂସ୍କୃତି ବିଭାଗ ଅନୁ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀମତୀ ମୁକ୍ତିଲତା ପାଲ୍ ଏବଂ ଗୁରୁ ଶ୍ରୀମତୀ କସ୍ତୁରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ନୃତ୍ୟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପୂର୍ବାହ୍ନ ଅଧିବେଶନରେ ବିଶ୍ୱଜିତ ବଳିୟାରସିଂହ କାର‌୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରର ବରେଣ୍ୟ ଗୁରୁବୃନ୍ଦ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ କ୍ଷ ଏହି ଅଧିବେଶନରେ ଜାଗୃତି ସାଂସ୍କୃତିକ ଏକାଡେମୀ (ଭୁବନେଶ୍ୱର) ପକ୍ଷରୁ ଦଳଗତ ଓଡିଶୀ,ଅଙ୍କିତା ବେହେରା(ଏକକ ଓଡିଶୀ,ଭୁବନେଶ୍ୱର), ପୁରୋମିତା ବାନାର୍ଜୀ, ଲାବଣ୍ୟ ଘୋଷ (କୋଲକାତା-ଉଭୟ ଏକକ ଓଡିଶୀ), ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ, ଭୁବନେଶ୍ୱର(ଦଳଗତ ଓଡିଶୀ), ବିଧି ସେନଗୁପ୍ତା(ଛତିଶଗଡ-ଏକକ ଓଡିଶୀ ), ବସନ୍ତକୁମାର ନନ୍ଦ(ଭୁବନେଶ୍ୱର-ଏକକ ଓଡିଶୀ), ସ୍ପ୍ରିୟା ଦତ୍ତ-ଏକକ ଓଡିଶୀ,(ନୂଆ ଦିଲ୍ଲୀ), ଅଙ୍କିତ କୁମାର ଦାସ(ବ୍ରହ୍ମପୁର)-ଏକକ ଓଡିଶୀ, ମନମୋହନ ସଂଗୀତ ପରିଷଦ,ଭଦ୍ରକ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

ସେହିପର ଆଜି ଅପରାହ୍ଣରେ ସଂଚାରୀ ଫାଉଣ୍ଡେସନ(ନୂଆ ଦିଲ୍ଲୀ) ପକ୍ଷରୁ ଦଳଗତ ଓଡିଶୀ, ତିଥି ଦାସ (କୋଲକାତା-ଏକକ ଓଡିଶୀ), ରୁବି ହାତୀ ଏବଂ ଶର୍ମିଷ୍ଠା ତରାଇ(ଯୁଗଳ ନୃତ୍ୟ-ଓଡିଶୀ), ଦେବାଶ୍ରିତା ସ୍ୱାଇଁ ,ଭୁବନେଶ୍ୱର(ଏକକ ଓଡିଶୀ), ସିମନ୍ତିନୀ ମିତ୍ର ବେହୁରା(ଏକକ ଓଡିଶୀ-ହୋଷ୍ଟନ-ଆମେରିକା), ନର୍ତ୍ତେଶ୍ୱର ସାଂସ୍କୃତିକ କେନ୍ଦ୍ର, କୋଲକାତା,ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ନୃତ୍ୟ ଶିଳ୍ପୀମାନଙ୍କୁ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ନୃତ୍ୟଶିଳ୍ପୀମାନେ ହେଲେ,ସଂଗୀତା ଦାସ, ଏକକ ଓଡ଼ିଶୀ (ପୁଦୁଚେରୀ), ଅଙ୍କିତା ସେନଗୁପ୍ତା(କୋଲକାତା ),ଭଗତ ପ୍ରଧାନ ଏବଂ ଦେବସ୍ମିତା ବାରିକ (ଓଡ଼ିଶୀ ଯୁଗଳବନ୍ଦୀ ), ଭୁବନେଶ୍ୱର,ପୁଷ୍ପା ପଣ୍ଡା, କଟକ,ସସ୍ମିତା ପଣ୍ଡା,କଟକ, ଦୀପ୍ସି ପଟ୍ଟନାୟକ, ଭୁବନେଶ୍ୱର,ଅମ୍ରିତା ପାଟଶାଣୀ ଏବଂ ଅଭିଲିପ୍ସା ଭଞ୍ଜ ( ଓଡ଼ିଶୀ ଯୁଗଳବନ୍ଦୀ ), ଭୁବନେଶ୍ୱର,ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର (ଦଳଗତ ଓଡ଼ିଶୀ )।

ଦ୍ୱିତୀୟ ଦିନର ସାଂଧ୍ୟ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଶ୍ରୀ ହୃଷିକେଶ ମଲ୍ଲିକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟ ଗବେଷଣା କେନ୍ଦ୍ରର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର‌୍ୟ୍ୟ, ଓଡିଶା ସଂଗୀତ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ, ଓଡିଶା ସାହିତ୍ୟ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରାଉତ, ସଂଗୀତ ଗୁରୁ ତଥା ସଂଗୀତ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ, ଗୁରୁ ଦୁର୍ଗାଚରଣ ରଣବୀର , ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ , ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର। ସଂଯୋଜନା କରିଥିଲେ ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ।

ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିନରେ ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ସମସ୍ତ ନୃତ୍ୟ ଆକର୍ଷଣୀୟ ରହିଥିଲା। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଓ ଦର୍ଶକ ଉପସ୍ଥିତ ରହି ନୃତ୍ୟ ଉପଭୋଗ କରିବା ସହିତ ନୃତ୍ୟ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଚତୁର୍ଥ ଗୀତାଞ୍ଜଳି ଏକ୍ସଲେନ୍ସ ସମ୍ମାନ-୨୦୨୧, ସମ୍ବର୍ଦ୍ଧିତ ହେଲେ ୨୫ଜଣ ପ୍ରତିଭା

ଭୁବନେଶ୍ୱର: ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚତୁର୍ଥ ଗୀତାଞ୍ଜଳି ଏକ୍ସେଲେନ୍ସ ଆୱାର୍ଡ଼-୨୦୨୧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଫାଉଣ୍ଡେସନର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଆଜିର ଯୁବପିଢିମାନଙ୍କୁ ନିଜର ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଗଲେ ଆଗାମୀ ଦିନରେ ସାମାଜିକ କାର୍ଯ୍ୟ କରିବା ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେବ ବୋଲି ସେ ମତପୋଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ କହିଲେ ଯେ, ସ୍ୱେଚ୍ଛାସେବୀମାନଙ୍କୁ ଆମ ସମାଜ ସବୁବେଳେ ସମ୍ମାନ ଦେଇଆସିଛି। ମହାମାରୀ କରୋନା ସମୟରେ ସରକାରଙ୍କ ସହିତ ସ୍ୱେଚ୍ଛାସେବୀମାନେ ଯେଉଁଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ସହଯୋଗର ହାତ ବଢାଇ, ସେମାନଙ୍କୁ ସହାୟତା ଯୋଗାଇଥିଲେ ଓ ସଚେତନ କରାଇଥିଲେ, ଏହା ହିଁ ତାର ଉଦାହଣ ବୋଲି ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ଆୟକର ବିଭାଗର ପୂର୍ବତନ ପ୍ରନ୍ସିପାଲ କମିଶନର ଶରତ ଦାସ ଓ ଅନୁଷ୍ଠାନର ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୫ଜଣ ପ୍ରତିଭାଙ୍କୁ ଅତିଥିମାନେ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ତାପସ ରଞ୍ଜନ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ସଭ୍ୟ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।