ଚତୁର୍ଥ ଗୀତାଞ୍ଜଳି ଏକ୍ସଲେନ୍ସ ସମ୍ମାନ-୨୦୨୧, ସମ୍ବର୍ଦ୍ଧିତ ହେଲେ ୨୫ଜଣ ପ୍ରତିଭା

Published: Nov 29, 2021, 8:45 pm IST

ଭୁବନେଶ୍ୱର: ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚତୁର୍ଥ ଗୀତାଞ୍ଜଳି ଏକ୍ସେଲେନ୍ସ ଆୱାର୍ଡ଼-୨୦୨୧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଫାଉଣ୍ଡେସନର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଆଜିର ଯୁବପିଢିମାନଙ୍କୁ ନିଜର ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଗଲେ ଆଗାମୀ ଦିନରେ ସାମାଜିକ କାର୍ଯ୍ୟ କରିବା ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେବ ବୋଲି ସେ ମତପୋଷଣ କରିଥିଲେ। ସମ୍ମାନିତ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ କହିଲେ ଯେ, ସ୍ୱେଚ୍ଛାସେବୀମାନଙ୍କୁ ଆମ ସମାଜ ସବୁବେଳେ ସମ୍ମାନ ଦେଇଆସିଛି। ମହାମାରୀ କରୋନା ସମୟରେ ସରକାରଙ୍କ ସହିତ ସ୍ୱେଚ୍ଛାସେବୀମାନେ ଯେଉଁଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ସହଯୋଗର ହାତ ବଢାଇ, ସେମାନଙ୍କୁ ସହାୟତା ଯୋଗାଇଥିଲେ ଓ ସଚେତନ କରାଇଥିଲେ, ଏହା ହିଁ ତାର ଉଦାହଣ ବୋଲି ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ଆୟକର ବିଭାଗର ପୂର୍ବତନ ପ୍ରନ୍ସିପାଲ କମିଶନର ଶରତ ଦାସ ଓ ଅନୁଷ୍ଠାନର ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୫ଜଣ ପ୍ରତିଭାଙ୍କୁ ଅତିଥିମାନେ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ତାପସ ରଞ୍ଜନ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ସଭ୍ୟ ବିଶ୍ୱଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Related posts