ଭୁବନେଶ୍ବର: ରଥଯାତ୍ରା ଉପଲକ୍ଷେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ଆୟୋଜିତ ଗୁହାରି କାର୍ଯ୍ୟକ୍ରମର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ଆଜିର ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀମାନେ ସଂଗୀତ ମାଧ୍ୟମରେ ଜଗନ୍ନାଥଙ୍କୁ ଗୁହାରି କରିବା ପରିବେଶ ବେଶ ଭକ୍ତିମୟ ହୋଇଥିଲା। କଣ୍ଠଶିଳ୍ପୀମାନେ ପାରଂପାରିକ ରଚନା ସହିତ ଆଧୁନିକ ଭଜନ ଓ ଜଣାଣ ପରିବେଷଣ କରିଥିଲେ।
ଦ୍ବିତୀୟ ସଂଧ୍ୟାରେ ଯେଉଁମାନେ ସଂଗୀତ ପରିବେଷଣ କରିଥିଲେ ସେମାନେ ହେଲେ ଆଶାଲତା ଷଡଙ୍ଗୀ, ପ୍ରଫୁଲ ଚନ୍ଦ୍ର ବେହେରା, ହରପ୍ରିୟା ସ୍ବାଇଁ, ବିଶ୍ବନାଥ ମିଶ୍ର, ମନ୍ଦାକିନୀ ଶ୍ରେୟା, ଶରତ ବାରିକ, ଲିପସା ମହାପାତ୍ର, ଶିବ ଶଙ୍କର ଷଡଙ୍ଗୀ ଏବଂ ସସ୍ମିତା ଗୁରୁ। ଲଗାତର ଗୋଟିଏ ପରେ ଗୋଟିଏ, ବିନା ବାଧାରେ ସଂଗୀତ ପରିବେଷଣ କରାଯିବା ଦର୍ଶକଙ୍କୁ ବେଶ ମନମୁଗ୍ଧ କରିଥିଲା।
ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି। ମଣ୍ଡପ ବାହାରେ ହୋଇଥିବା ଏହି ପ୍ରଦର୍ଶନୀରେ ଜଗନ୍ନାଥଙ୍କ ଉପରେ ଆଧାରିତ ତିରିଶିଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଏଥିରେ ମଧ୍ୟ ପାରଂପାରିକ ସହ ପଟ୍ଟଚିତ୍ର ତଥା ଆଦିବାସୀ କଳା ଉପରେ ଆଧାରିତ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶିତ ହୋଇଛି।
ଏହି କାର୍ଯ୍ୟକ୍ରମକୁ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ ପରିକଳ୍ପନା ସହିତ ପରିଚାଳନା କରିଛନ୍ତି। ରଥଯାତ୍ରା ଉପଲକ୍ଷେ ଏହି ଗୁହାରି କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିବାରେ ବେଶ ସଫଳ ହୋଇଛି। ଆସନ୍ତାକାଲି ସୋମବାର ସଂଧ୍ୟାରେ ଏହା ଶେଷ ହେବ।


