ଭୁବନେଶ୍ବରରେ ଉଦଘାଟିତ ହେଲା ଗୋଟିପୁଅ ନୃତ୍ୟ ମହୋତ୍ସବ

Published: Jan 30, 2024, 11:41 am IST
Gotipua

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ‘ଗୋଟିପୁଅ ନୃତ୍ୟ ମହୋତ୍ସବ-୨୦୨୪’ ଆଜି ଅପରାହ୍ନରେ ଏହାର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଂଗମଞ୍ଚରେ ଉଦ୍‌ଘାଟିତ ହୋଇଯାଇଛି।

ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭ ଉଦ୍‌ଘାଟନ କରିବା ସହିତ ନୃତ୍ୟ ପରିବେଷଣ କରିବାକୁ ଥିବା ଅନୁଷ୍ଠାନର ଗୁରୁମାନଙ୍କୁ ମଂଚରେ ସମ୍ବର୍ଦ୍ଧିତ କରିଥିଲେ।

ଏହା ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଭବ୍ୟ ଉତ୍ସବରେ ରାଜ୍ୟର ପ୍ରାୟ ୨୦ଟି ଗୋଟିପୁଅ ସଂଗଠନ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଆଜି ଅପରାହ୍ନ ଓ ସନ୍ଧ୍ୟାର ଅଧିବେଶନରେ ୧୦ ଗୋଟି ସଂଗଠନ ପୃଥକ ପୃଥକ ଭାବରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ।

ସେମାନଙ୍କ ମଧ୍ୟରେ ଥିଲେ କୈଳାସ ଗୋଟିପୁଅ ନୃତ୍ୟ ପ୍ରତିଷ୍ଠାନ, ସାକ୍ଷୀଗୋପାଳ: ଆରାଧନା ଡ୍ୟାନ୍ସ ଏକାଡେମୀ, ପ୍ରଧାନ ସାହି, ଖୋର୍ଦ୍ଧା: ଜୟଦେବ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ, ଭିଙ୍ଗାରପୁର, ଖୋର୍ଦ୍ଧା: କସା ଗୋଟିପୁଅ, ଚନ୍ଦନପୁର, ପୁରୀ: ନୃତ୍ୟାମ୍ବର, ପୁରୀ: ବାବା ଗୋରେଖନାଥ ଗୋଟିପୁଅ ଡ୍ୟାନ୍ସ ଆସୋସିଏସନ୍‌, ପୁରୀ: ବାଙ୍କେଶ୍ୱରୀ ଗୋଟିପୁଅ ନୃତ୍ୟ ପରିଷଦ, ପୁରୀ: ଅଭିନ୍ନ ସୁନ୍ଦର ଗୋଟପୁଅ ନୃତ୍ୟ ପରିଷଦ, ପୁରୀ: ନକ୍ଷତ୍ର ଗୁରୁକୁଳ ଟ୍ରଷ୍ଟ, ଭୁବନେଶ୍ୱର ଓ ଲକ୍ଷ୍ମୀପ୍ରିୟା ଗୋଟିପୁଅ, ବାଲିପାଟଣା, ଖୋର୍ଦ୍ଧା।

ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ବିଗତ ୧୦ ବର୍ଷର ବ୍ୟବଧାନରେ ଏହି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଗତ ୨୦୧୩ ମସିହାରେ ଅନୁଷ୍ଠାନ ଦ୍ୱାରା ଗୋଟିପୁଅ ଉତ୍ସବ ପାଳନ କରାଯାଇଥିଲା।

ଆମ ସଂସ୍କୃତି ସହିତ ଜଡ଼ିତ ଏହି ପାରମ୍ପରିକ ଗୋଟିପୁଅ ନୃତ୍ୟକୁ ଉଜ୍ଜୀବିତ ରଖିବା ନିମନ୍ତେ ଆଗାମୀ ଦିନମାନଙ୍କରେ ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯିବ ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସିକତା ଦାସ ଏହି ଉତ୍ସବରେ ଯୋଗଦେଇ ତାଙ୍କ ଅଭିଭାଷଣରେ ବ୍ୟକ୍ତ କରିଥିଲେ।

ଏହି ଉତ୍ସବକୁ ସଂଯୋଜନା କରିଥିଲେ ଡଃ ଶ୍ରୀନିବାସ ଘଟୁଆରୀ ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର।

Related posts