କଳାହାଣ୍ଡିରେ କାୟା ମେଲାଉଛି ମ୍ୟାଲେରିଆ: ୧୧ ବର୍ଷରେ ଗଲାଣୀ ୪୧ ଜୀବନ

Published: Apr 26, 2023, 9:02 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମ୍ୟାଲେରିଆ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୫ ତାରିଖକୁ ସରକାରୀ ସ୍ତରରେ ‘ ବିଶ୍ବ ମ୍ୟାଲେରିଆ ଦିବସ ‘ ଭାବେ ପାଳନ କରାଯାଉଛି। ୨୦୨୭ ସୁଦ୍ଧା ପୂରା ଦେଶକୁ ମ୍ୟାଲେରିଆମୁକ୍ତ କରାଯିବା ପାଇଁ ବିଭିନ୍ନ ଯୋଜନା ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମ୍ୟାଲେରିଆ କାୟା ମେଲାଉଛି। ଗତ ୧୧ ବର୍ଷ ମଧ୍ୟରେ ୪୧ ଜଣଙ୍କ ମ୍ୟାଲେରିଆରେ ମୃତ୍ୟୁ ଘଟିଛି। ଏବେ ମଧ୍ୟ ଦୁର୍ଗମ ଅଂଚଳରେ ଲୋକେ ଗୁଣିଗାରେଡ଼ି ଉପରେ ଭରସା କରୁଥିବାରୁ ଅନେକ ରୋଗୀ ଗାଁ ଗହଳରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ତାହା ସରକାରୀ ପରିସଂଖ୍ୟାନକୁ ଆସୁନଥିବା ଅଭିଯୋଗ ହେଉଛି।

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍ ଓ ଲାଞ୍ଜିଗଡ଼ ବ୍ଲକ୍ ରେ ମ୍ୟାଲେରିଆର ପ୍ରକୋପ ବ୍ୟାପିବାରେ ଲାଗିଛି। ସରକାରୀ ବାବୁମାନେ କାଗଜକଲମରେ ମ୍ୟାଲେରିଆ ନିରାକରଣ କରୁଥିବାରୁ ଦୁର୍ଗମ ଅଂଚଳରେ ଏବେ ମଧ୍ୟ ମ୍ୟାଲେରିଆ ନିଜର ସ୍ଥିତି ଜାହିର କରିବାରେ ଲାଗିଛି। ୨୦୧୨ ମସିହାରେ ୨ ଲକ୍ଷ ୬୪ହଜାର ୬୬୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ସେଥିରୁ ୧୯ ହଜାର ୭୫ ଜଣଙ୍କଠାରେ ମ୍ୟାଲେରିଆ ଚିହ୍ନଟ ହୋଇଥିଲା। ଏଥି ମଧ୍ୟରୁ ୧୭ ହଜାର ୩୬୯ ଜଣ ପିଏଫ୍ ଓ ୧୭୦୬ ଜଣ ପିଭି ଆକ୍ରାନ୍ତ ହୋଇଥିବାବେଳେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୧୩ ମସିହାରେ ୨ ଲକ୍ଷ ୮୬ ହଜାର ୫୯୧ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୨୦ ହଜାର ୧୨୦ ଜଣଙ୍କ ପଜିଟିଭ ମଧ୍ୟରୁ ୧୮ ହଜାର ୫୫୩ ଜଣଙ୍କ ପିଏଫ୍ ୧୫୬୭ ଜଣଙ୍କ ପିଭି ଓ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୪ ମସିହାରେ ୩ ଲକ୍ଷ ୧୪ ହଜାର ୪୫୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୨୯ ହଜାର ୫୩୫ ଜଣଙ୍କ ପଜିଟିଭ ବାହାରିଥିବା ବେଳେ ୨୬ ହଜାର ୭୦୯ ଜଣଙ୍କ ପିଏଫ୍ , ୨୮୨୬ ଜଣଙ୍କ ପିଭି ଓ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୬ ମସିହାରେ ୩ ଲକ୍ଷ ୬୨ ହଜାର ୮୯୯ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୪୪ ହଜାର ୯୧୬ ଜଣଙ୍କ ପଜିଟିଭ ମଧ୍ୟରୁ ୩୯ ହଜାର ୪୬୩ ଜଣଙ୍କ ପିଏଫ୍ , ୫୪୫୩ ଜଣଙ୍କ ପିଭି ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୧୭ ମସିହାରେ ୩ ଲକ୍ଷ ୧୪ ହଜାର ୨୩୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବାବେଳେ ୩୧ ହଜାର ୨୬୫ ଜଣଙ୍କ ପଜିଟିଭ ମଧ୍ୟରୁ ୨୬ ହଜାର ୪୦୪ ଜଣଙ୍କ ପିଏଫ୍ ଓ ୪୮୬୧ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା। ଏହି ବର୍ଷ କେହି ମଧ୍ୟ ମ୍ୟାଲେରିଆରେ ମୃତ୍ୟୁବରଣ କରି ନ ଥିବା ସରକାରୀ ସୂଚନା ମିଳିଛି। ୨୦୧୮ ମସିହାରେ ୩ ଲକ୍ଷ ୧୮ ହଜାର ୮୯୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବାବେଳେ ୮୬୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସେଥିରୁ ୭୨୯୦ ଜଣଙ୍କ ପିଭି ଓ ୧୪୦୬ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା। ୨୦୧୯ ମସିହାରେ ୩ ଲକ୍ଷ ୩୮ ହଜାର ୯୩୩ଟି ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୬୦୧୨ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲା , ସେଥିମଧ୍ୟରୁ ୫୪୮୨ ପିଏଫ୍ ଓ ୫୩୦ ଜଣଙ୍କଠାରେ ପିଭି ଚିହ୍ନଟ ହୋଇଥିଲା। ୨୦୨୦ ମସିହାରେ ୨ ଲକ୍ଷ ୯୯ ହଜାର ୪୩୯ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୧୦୫୭୭ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲା।

ଏଥିମଧ୍ୟରୁ ୧୦ ହଜାର ୧୭ ଜଣଙ୍କ ପିଏଫ୍ ଓ ୫୬୦ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା। ୨୦୨୧ ମସିହାରେ ୩ ଲକ୍ଷ ୨୬ ହଜାର ୬୭୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବାବେଳେ ୫୧୬୪ ଜଣଙ୍କଠାରେ ପଜିଟିଭ ଚିହ୍ନଟ ହୋଇଥିଲା। ସେଥିରୁ ୪୬୪୭ ଜଣଙ୍କ ପିଏଫ୍ ଓ ୫୧୭ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା। ୨୦୨୨ ମସିହାରେ ୩ ଲକ୍ଷ ୨୯ ହଜାର ୯୦୪ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୩୮୪୧ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲା। ସେଥିରୁ ୩୩୮୭ ଜଣଙ୍କ ପିଏଫ୍ ଓ ୪୫୪ ଜଣଙ୍କଠାରେ ପିଭି ଚିହ୍ନଟ ହୋଇଥିଲା। ଗତ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ମ୍ୟାଲେରିଆରେ କୌଣସି ରୋଗୀ ମୃତ୍ୟୁବରଣ କରି ନଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। କିନ୍ତୁ ୨୦୧୨ ମସିହାରୁ ୨୦୧୬ ମସିହା ମଧ୍ୟରେ ୪୧ ଜଣ ମ୍ୟାଲେରିଆରେ ମୃତ୍ୟୁବରଣ କରିଛନ୍ତି।

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର , ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ଼୍ର ଦୁର୍ଗମ ଅଂଚଳରେ ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଦୁର୍ଗମ ଅଂଚଳରେ ଗମନାଗମନ ସୁବିଧା ଅଭାବ ଓ ନେଟୱାର୍କ ନଥିବାରୁ ବହୁ ରୋଗୀ ଗୁଣି ଗାରେଡ଼ି ଓ କ୍ଵାକ୍ ଭରସାରେ ଅଛନ୍ତି। ଫଳରେ ଅତ୍ୟନ୍ତ ସଂକଟାପନ୍ନ ହୋଇ ଡାକ୍ତରଖାନାକୁ ଆସି ନପାରି ମୃତ୍ୟୁମୁଖରେ ପଡୁଛନ୍ତି। ପୂର୍ବରୁ ଗାଁ ମାନଙ୍କରେ ଡିଡିଟି ସିଂଚନ ଓ କୂଅଗୁଡ଼ିକରେ ବ୍ଲିଚିଂ ପାଉଡ଼ର ପକାଯାଉଥିଲା।

ବର୍ତ୍ତମାନ କିନ୍ତୁ କାଗଜକଲମରେ ଚାଲିଥିବା ଯୋଗୁଁ ମ୍ୟାଲେରିଆ ନିରାକରଣ ବାଟବଣା ହେବାରେ ଲାଗିଛି। ଔଷଧ ବୋଳା ମଶାରୀ ଦୁର୍ଗମ ଅଂଚଳରେ ଲୋକେ ଠିକ୍ ଭାବରେ ପାଉନଥିବାରୁ ଯୋଗୁଁ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି। ଅନ୍ୟ ପଟେ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ପଦ ଖାଲି ଥିବାରୁ ଦୁର୍ଗମ ଅଂଚଳରେ ଲୋକେ କ୍ବାକ୍ ଭରସାରେ ଚିକିତ୍ସା ପାଉଛନ୍ତି। ଅତ୍ୟନ୍ତ ଗରିବ ଲୋକେ ଗୁଣିଗାରେଡ଼ି ଉପରେ ନିର୍ଭର କରୁଛନ୍ତି। ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ଯୋଜନାକୁ ଆହୁରି ଅଧିକ ତ୍ୱରାନ୍ବିତ କରାଯିବାକୁ ଦାବି ହେଉଛି।

Related posts