
ଭୁବନେଶ୍ୱର : ରାଜ୍ୟ ସରକାର ପୂର୍ବରୁ ଯେଉଁମାନଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରିଥିଲେ, ସେମାନଙ୍କୁ ପୁନଃର୍ବାର ଦକ୍ଷ ଓ ବରିଷ୍ଠ କହି ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ଆଜି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୩ଜଣ ମନ୍ତ୍ରୀ ପୂର୍ବରୁ ଦକ୍ଷ କିମ୍ବା ବରିଷ୍ଠ ନଥିଲେ କି?
ଯଦି ଦକ୍ଷ ଥିଲେ ତାହେଲେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କାହିଁକି ଅନ୍ତର କରିଥିଲେ ଏବଂ ଆଜି ତାଙ୍କର କେଉଁ ଦକ୍ଷତା ବଳରେ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା ? ଏହିପରି ପ୍ରଶ୍ନ କରିଛି ରାଜ୍ୟ ବିଜେପି।
ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ କିଭଳି ମନ୍ତ୍ରୀମାନେ କାର୍ଯ୍ୟ କରନ୍ତି ତାହା ଦିବାଲୋକ ପରି ସ୍ପଷ୍ଟ । ନୂତନ ଶିକ୍ଷା ବର୍ଷ ଆରମ୍ଭ ସମୟରେ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କୁ ରାତି ଅଧରେ ବିଜେଡି ସରକାର ବହିଷ୍କାର କରି ଛାତ୍ରଛାତୀଙ୍କ ଭବିଷ୍ୟତ ଓ ଶିକ୍ଷା ସହ ଖେଳ ଖେଳୁଛନ୍ତି ।
୨୦୨୪ରେ ସରକାର ଗଢ଼ିବ ବିଜେପି । ବିଜେଡି ସରକାରରେ ମନ୍ତ୍ରୀଙ୍କର କୈାଣସି କ୍ଷମତା କି ଅଧିକାର ନାହିଁ । ଧର୍ମକୁ ଆଖିଠାର ମାରିବା ଭଳି “ଓଲଡ୍ ୱାଇନ୍ ଇନ ନିୟୁ ବଟଲ” ନୀତି ଆପାଣାଇଛନ୍ତି ବିଜେଡି ସରକାର । ମନ୍ତ୍ରୀମଣ୍ଡଳ ପରିବର୍ତନ ବିଜେଡିର ଶାସନ ଶୈଳୀ ଉପରେ କିଛି ପ୍ରଭାବ ପଡିବ ନାହିଁ ।
ଓଡ଼ିଶାର ଶାସନରେ କିଛି ନୂତନତ୍ୱ ନାହିଁ । ପୂର୍ବରୁ ଯେଭଳି ସ୍ଥାଣୁ, ଅପରାଗ ହୋଇ ଚାଲିଥିଲା ସେଭଳି ଚାଲିବ । ଯେଉଁମାନଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ଥିଲା, ସେଇଭଳି ପୁରୁଣା ଲୋକଙ୍କୁ ନେଇ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।