ପାକିସ୍ତାନ ଉପରକୁ ବ୍ରହ୍ମୋସ୍ ମାରିବା ହେତୁ ୨୪ କୋଟି କ୍ଷତି, ବିପଦ ବହୁତ ବଡ ଥିଲା: କେନ୍ଦ୍ର ସରକାର 

Published: May 30, 2023, 11:12 am IST

ନୂଆଦିଲ୍ଲୀ: ଗତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ଉପରେ ଭୁଲରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ କହିଥିଲେ ଯେ ଏହି ଭୁଲ ହେତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଭୁଲ ପାଇଁ ଭାରତକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି।

ଭାରତୀୟ ବାୟୁସେନାର ତିନିଜଣ ଅଧିକାରୀଙ୍କ ବହିଷ୍କାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏହି ସବୁ କଥା କେନ୍ଦ୍ର ସରକାର କହିଛନ୍ତି। ଏହା ସହିତ ପାକିସ୍ତାନ ଉପରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚରମ ଅବହେଳା ବୋଲି କୁହାଯାଇଛି।

ୱିଙ୍ଗ କମାଣ୍ଡର ଅଭିନବ ଶର୍ମାଙ୍କ ଦ୍ୱାରା ଆବେଦନ ହୋଇଥିବା ଏକ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟରେ ଏହି ଶୁଣାଣି ଚାଲିଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଦାଖଲ କରିଥିବା ଏକ ଆଫିଡେଭିଟରେ ଦର୍ଶାଯାଇଛି ଯେ, ଦେଶର ସୁରକ୍ଷା ପ୍ରତି ବ୍ୟାପକ ବିପଦ ସୃଷ୍ଟି କରୁଥିବା ଘଟଣାର ସମ୍ବେଦନଶୀଳ ପ୍ରକୃତିକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଜନସାଧାରଣଙ୍କ ସ୍ୱାର୍ଥରେ ନିଆଯାଇଛି। ୨୩ ବର୍ଷ ପରେ ଭାରତୀୟ ବାୟୁସେନାରେ ଏଭଳି ନିଷ୍ପତ୍ତି ନିଆଯାଇଛି, କାରଣ ମାମଲାର ସତ୍ୟତା ଏବଂ ପରିସ୍ଥିତି ଏପରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କାରଣରୁ ଅନେକ ପ୍ରକାରର ସମ୍ଭାବ୍ୟ ବିପଦ ଉପୁଜିଥିଲା, ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ଏବଂ ଭାରତୀୟ ବାୟୁସେନା ସହିତ ଦେଶର ପ୍ରତିଷ୍ଠା ନଷ୍ଟ ହୋଇଥାନ୍ତା।

ଆବେଦନରେ କ’ଣ କୁହାଯାଇଥିଲା?:

ଭାରତୀୟ ବାୟୁସେନା ଅଧିନିୟମ ୧୯୫୦ ଅନୁଯାୟୀ ବହିଷ୍କାର ନିଷ୍ପତ୍ତିକୁ ଆବେଦନକାରୀ ୱିଙ୍ଗ କମାଣ୍ଡର ଶର୍ମା ଚ୍ୟାଲେଞ୍ଜ କରିଥିଲେ। ଆବେଦନରେ କୁହାଯାଇଛି ଯେ, ୱିଙ୍ଗ କମାଣ୍ଡରଙ୍କୁ କେବଳ ରକ୍ଷଣାବେକ୍ଷଣ ସହ ଜଡିତ ବୃତ୍ତିଗତ ଏବଂ ବ୍ୟବହାରିକ ତାଲିମ ଦିଆଯାଇଥିଲା, ଏହା ଅପରେସନ୍ କରିବା ସହିତ ଜଡିତ ନୁହେଁ।

Related posts