PCB କୁ ବଡ ଝଟକା ଦେବାକୁ ପ୍ରସ୍ତୁତ ବିସିସିଆଇ, ପାକିସ୍ତାନ ବିନା ଖେଳାଯିବ ଏସିଆ କପ୍

Published: Jun 1, 2023, 12:18 pm IST

ନୂଆଦିଲ୍ଲୀ: ବିସିସିଆଇ ଏବଂ ପିସିବି ମଧ୍ୟରେ ବିବାଦ କମିବାର ନାମ ନେଉନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ବଡ ଝଟକା ଦେବା ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ପାକିସ୍ତାନ ବିନା ଏସିଆ କପ୍ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। ଏହାପୂର୍ବରୁ, ବିସିସିଆଇ PCB ର ହାଇବ୍ରିଡ୍ ମଡେଲକୁ ପ୍ରତ୍ୟାଖ୍ୟାନ କରିଥିଲା।

ବାସ୍ତବରେ ଏ ବର୍ଷ ପାକିସ୍ତାନ କ୍ରିକେଟ୍ ବୋର୍ଡର ଏସିଆ କପ୍ ଆୟୋଜନ କରିବାର ଅଧିକାର ରହିଛି। ଏହି ପ୍ରସଙ୍ଗରେ ପୁରା ବିବାଦ ଆରମ୍ଭ ହୋଇଛି। ପାକିସ୍ତାନ ସହ ସୁରକ୍ଷା ସମସ୍ୟା ହେତୁ ବିସିସିଆଇ ତାର ଦଳ ପଠାଇବାକୁ ମନା କରିଦେଇଛି। ଏହା ପରେ ହାଇବ୍ରିଡ୍ ମଡେଲ୍ ନେଇ ପିସିବି ଭାରତକୁ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ପରିଚାଳନା କରିବାର ବିକଳ୍ପ ଦେଇଥିଲା। କିନ୍ତୁ ବିସିସିଆଇ ମଧ୍ୟ ଏହି ମଡେଲକୁ ପ୍ରତ୍ୟାଖ୍ୟାନ କରିଛି।

ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ଏସିଆ କପରେ ଅଂଶଗ୍ରହଣ କରୁଥିବା ବାକି ଦଳ ପାକିସ୍ତାନ ବିନା ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏସିଆ କ୍ରିକେଟ୍ ପରିଷଦ ପ୍ରସ୍ତୁତି ଚଳାଇଛି। ଯଦି ପାକିସ୍ତାନ ଏଥିରେ ଭାଗ ନେବାକୁ ପଡିବ ତେବେ କେବଳ ଶ୍ରୀଲଙ୍କାରେ ଖେଳିବାକୁ ପଡ଼ିବ। ଯଦି ପାକିସ୍ତାନ ଏହି ବିକଳ୍ପକୁ ଗ୍ରହଣ ନକରେ, ତେବେ ଏସିଆ କପ୍‌ରୁ ଦୂରେଇ ରହିବାକୁ ପଡ଼ିବ।

ବିଶ୍ୱକପ୍‌ରେ ପହଞ୍ଚିଲା ବିବାଦ:

ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପରେ ଏସିଆ କପ୍ ବିବାଦ ପହଞ୍ଚିଛି। ପାକିସ୍ତାନରୁ ଲଗାତାର ଧମକ ରହିଛି ଯେ, ଯଦି ଭାରତ ନିଜ ମାଟିରେ ଏସିଆ କପ୍ ଖେଳିବ ନାହିଁ, ତେବେ ସେମାନେ ବିଶ୍ୱକପକୁ ବର୍ଜନ କରିପାରନ୍ତି। ତେବେ ଆଇସିସି ଅଧ୍ୟକ୍ଷଙ୍କ ତରଫରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏଭଳି ପଦକ୍ଷେପ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି PCB ଏହି ବିକଳ୍ପ ବାଛିଥାଏ ତେବେ ICC ରୁ କଡା କାର୍ଯ୍ୟର ସମ୍ମୁଖୀନ ହେବାକୁ ପଡିପାରେ।

ବିଶ୍ୱକପ ଖେଳିବା ନେଇ ପିସିବି ମୁଖ୍ୟ ନଜାମ ସେଠୀଙ୍କ ମନୋଭାବ ମଧ୍ୟ ନରମ ହୋଇଛି। ପିସିବି ମୁଖ୍ୟ ବର୍ତ୍ତମାନ ସମଗ୍ର ପ୍ରସଙ୍ଗକୁ ପାକିସ୍ତାନ ସରକାରଙ୍କୁ ଛାଡିଛନ୍ତି। ନଜାମ ସେଠୀ କହିଛନ୍ତି ଯେ, ଯଦି ପାକିସ୍ତାନ ସରକାର ଅନୁମତି ଦିଅନ୍ତି, ତା’ହେଲେ ତାଙ୍କ ଦଳ ଭାରତ ଯାଇ ବିଶ୍ୱକପ୍‌ର ଏକ ଅଂଶ ହେବ।

Related posts