ସୁନା ହାର ଠକେଇ ଅଭିଯୋଗରେ ମହିଳା ଗିରଫ

Published: Jun 4, 2023, 11:52 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଫାଷ୍ଟ୍ ଗେଟ୍ ନିକଟ ରଘପତି ନଗରର ଅନିତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ପଡୋଶୀ ମହିଳାଙ୍କ ସୁନାହାର ଠକେଇ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଗିରଫ କରିଛି। ମାମଲା ନଂ ୧୯୨/୨୩ ଅନୁଯାୟୀ ଅଭିଯୁକ୍ତ ମହିଳାଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ସାହିର ଅର୍ଜୁନ ସାହୁଙ୍କ ପଡିଶା ଘରେ ଅନିତା ବେହେରା ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ସହ ଅନିତାର ଘନିଷ୍ଠତା ବଢ଼ି ଚାଲିଥିଲା। ଏହାର ସୁଯୋଗ ନେଇ ଜ୍ୟୋତ୍ସ୍ନାଙ୍କ ପୁରୁଣା ସୁନା ହାରକୁ ନୁଆ କରିବା ପାଇଁ ନିଜର ଜଣେ ଜଣାଶୁଣା ବଣିଆ ଦୋକାନକୁ ନେଇ ଥିଲେ ଓ ସେଠି ଜ୍ୟୋତ୍ସ୍ନା ପୁରୁଣା ସୁନାହାର ସହ ଅତିରିକ୍ତ ନଗଦ ୨୩ ହଜାର ଟଙ୍କା ଦେଇଥିଲେ।

ବଣିଆଙ୍କ ଚୁକ୍ତି ଅନୁଯାୟୀ ଜ୍ୟୋତ୍ସ୍ନା ଉକ୍ତ ଦୋକାନକୁ ଯାଇ ସୁନାହାର ମାଗିବାରୁ ଅନିତା ଉକ୍ତ ହାର ନେଇ ଯାଇଥିବା କହିଲା ପରେ ଜ୍ୟୋତ୍ସା ଅନିତାଙ୍କୁ ଆସି ସୁନାହାର ମାଗିବାରୁ ଝଗଡ଼ା କରିବା ସହ ଗାଳିଗୁଲଜ କରିଥିଲେ। ଯାହା ଫଳରେ ସେ ବାଧ୍ୟ ହୋଇ ବଡ଼ବଜାର ଥାନାରେ ଏତଲା ଦାଏର କରିଥିଲେ।

ଏତଲାକୁ ଗ୍ରହଣ କରି ପୋଲିସ ଘଟଣାର ତଦନ୍ତ କରି ଅନିତାଙ୍କ ଠକେଇର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts