ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

Published: Jun 14, 2023, 10:43 pm IST

କଟକ: ଆଜି କଟକ ବଡ ମେଡିକାଲରେ ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭେଟିଛନ୍ତି ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ। ଅପରାହ୍ନରେ ରାଜ୍ୟପାଳ ମେଡିକାଲରେ ପହଞ୍ଚିବା ପରେ ସେଠାରେ ପ୍ରଶାସନ ତରଫରୁ ତାଙ୍କୁ ଆହତଙ୍କ ପାଖକୁ ନିଆଯାଇଥିଲା। ସେମାନଙ୍କୁ ଭେଟିବା ପରେ ସେ ଡାକ୍ତରଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ଛତିଶଗଡ ରାଜ୍ୟପାଳଙ୍କ ୪ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନରେ କଟକ ମେଡିକାଲ ଗସ୍ତ କରିଥିଲେ। ଆସନ୍ତାକାଲି ସକାଳେ ସେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଯିବେ। ସଂଧ୍ୟାରେ ବିଶ୍ୱମାନବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୁଲ୍ୟରେ ଅନୁଷ୍ଠିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

୧୬ ତାରିଖ ପୂର୍ବାହ୍ନରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବେ ଏବଂ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡାକ୍ତର ସୋମନାଥ ପ୍ରସାଦ ଜେନାଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ଦିଗ୍‌ବିଜୟୀ ଗଜପତି” ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଜସ୍ୱ ଅଭିବ୍ୟକ୍ତି ରଖିବେ ଏବଂ ଉକ୍ତ ପୁସ୍ତକ ଉନ୍ମୋଚନ କରିବେ।

Related posts