
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: କବିସୂର୍ଯ୍ୟ ନଗର ସହର କନକ ପାଟଣା ସାହିର ଏକ ଘରୁ ଆଜି ସକାଳୁ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି।
ମୃତକଙ୍କ ନାମ ଯୁଧିଷ୍ଠିର ବେହେରା ଓ ତାଙ୍କର ନିଜ ଘର ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ଅଞ୍ଚଳ ଜନକାପଲୀ ଗ୍ରାମର ବୋଲି ଜଣାପଡିଛି। ମୃତ ଯୁଧିଷ୍ଠିର ଜଣେ ରାଜମିସ୍ତ୍ରୀ। ସ୍ତ୍ରୀ କାମାକ୍ଷୀ ବେହେରା ସହ ଦୁଇଟି ପୁଅଙ୍କୁ ଧରି ସେ ସେଠାରେ ରହୁଥିଲେ।
ସ୍ତ୍ରୀ କାମାକ୍ଷୀ ଓ ପୁଅ କହିବା ଅନୁଯାୟୀ ପ୍ରତ୍ୟେକ ଦିନ ଭଳି ସେ ମିସ୍ତ୍ରୀ କାମକୁ ଯାଉଥିଲେ ଓ ଗତକାଲି ଦେହ ଅସୁସ୍ଥ ଥିବା ହେତୁ କାମକୁ ନଯାଇ ଘରେ ବିଶ୍ରାମ ନେଇଥିଲେ। ଆଜି ସକାଳେ ସ୍ତ୍ରୀ କାମକ୍ଷୀ କିଛି ଟଙ୍କା ଆଣିବା ପାଇଁ କାହା ଘରକୁ ଯାଇଥିଲା। ଏହି ସମୟରେ ପୁଅ ଦେଖିଲା ଯେ ବାପା ଖଟରେ ନଶୋଇ ତଳେ ଶୋଇଛନ୍ତି ଓ ତଳେ ରକ୍ତ ଭାସୁଛି।
ସଙ୍ଗେ ସଙ୍ଗେ ପୁଅ ଯାଇ ମାଁ କୁ ଡାକି କହିଲା ପରେ ମାଁ ଓ ସାହିର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଯୁଧିଷ୍ଠିରର ମୃତ୍ୟୁ ଘଟିଛି। ଖବର ପାଇ କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସନ୍ଦେହ ଜନକ ଭାବେ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି।