ହୃଦଘାତରେ ବରିଷ୍ଠ ସାମ୍ବାଦିକ ଜଗମୋହନ ମହାପାତ୍ରଙ୍କ ପରଲୋକ

Published: Jun 29, 2023, 10:20 pm IST
Journalist

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳର ଦକ୍ଷିଣ ଓଡ଼ିଶା ସଂସ୍କରଣ ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ପରଲୋକ। ଆଜି ସକାଳେ ହୃଦଘାତରେ ଜଗନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା।

ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡ଼ିତ ଥିଲେ। ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକତୋର ପାସ୍ କରିବା ପରେ ସାମ୍ବାଦିକତାକୁ ନିଜର ପେଶା ରୂପେ ଗ୍ରହଣ କରିଥିଲ।

ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ ଶ୍ରୀ ମହାପାତ୍ର। କଳାସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ବେଶ୍ ସକ୍ରିୟ ଥିଲେ। ଏହା ବ୍ୟତିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭ୍ରାମ୍ୟମାଣ ଅଧ୍ୟାପକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ।

ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିଲେ। ଗତବର୍ଷ ସ୍ବର୍ଗତ ପ୍ରଫେସର ସୁନୀଲ ବେହେରାଙ୍କ ଅଧିନରେ ଗବେଷଣା କରି ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ଜଣେ ମେଳାପୀ, ବନ୍ଧୁବତ୍ସଲ ଓ ପରୋପକାରୀ ବ୍ୟକ୍ତି ଭାବରେ ବେଶ୍ ଜଣାଶୁଣା ଥିଲେ ଡକ୍ଟର ମହାପାତ୍ର। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି।

Related posts