‘‘ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ଯୋଜନା’’ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

Published: Jul 5, 2023, 9:27 pm IST

ନୂଆଦିଲ୍ଲୀ: ମୋଟ୍‌ ୫ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘‘ରାଜ୍ୟମାନଙ୍କରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ ଲାଗି’’ ଯୋଜନା ଆରମ୍ଭ କରିଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଣ୍ଠି ଅଧୀନରେ ନିର୍ଦ୍ଧାରିତ ଆବଣ୍ଟନରୁ ଏହି ଅର୍ଥ ବିନିଯୋଗ କରାଯିବ। ରାଜ୍ୟମାନଙ୍କୁ ସେମାନଙ୍କର ଆଇନଗତ ଓ ମୌଳିକ ଭିତ୍ତିଭୂମି ଆଧାରିତ ସଂସ୍କାର ଆଧାରରେ ପ୍ରୋତ୍ସାହିତ କରିବା ଲାଗି ମୋଟ ବ୍ୟୟବରାଦ ମଧ୍ୟରୁ ୫୦୦ କୋଟି ଟଙ୍କାର ଅର୍ଥରାଶି ରଖାଯାଇଛି। ଏ ସଂକ୍ରାନ୍ତରେ ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ ଅଗ୍ନିଶମ ସେବା ମୁଖ୍ୟମାନଙ୍କୁ ପତ୍ର ପଠାଯାଇଛି।

୧୩ ଜୁନ୍, ୨୦୨୩ରେ ଅନୁଷ୍ଠିତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ, ଅମିତ ଶାହା ଏହି ଯୋଜନାର ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳୀ ମାର୍ଗଦର୍ଶନରେ ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରଣାଳୀକୁ ମଜବୁତ କରିବା ସହିତ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଏବଂ ବିପର୍ଯ୍ୟୟ ସମୟରେ ‘ଶୂନ୍ୟ ମୃତ୍ୟୁ’ ଓ ଧନଜୀବନର ସର୍ବନିମ୍ନ କ୍ଷୟକ୍ଷତି ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି।

ଯୋଜନାର ଉଦ୍ଦେଶ୍ୟ ହେଉଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ମଧ୍ୟରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ କରିବା, ଯାହାଫଳରେ ଏନଡିଆରଏଫର ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ମାଧ୍ୟମରେ ରାଜ୍ୟସ୍ତରରେ ଅଗ୍ନିଶମ ସେବାକୁ ମଜବୁତ କରାଯାଇ ପାରିବ।

ଯୋଜନା ଅଧୀନରେ ପ୍ରକଳ୍ପ/ପ୍ରସ୍ତାବ ଲାଗି ଅର୍ଥ ଆବଣ୍ଟନ ନିମନ୍ତେ, ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଏସବୁ ପ୍ରକଳ୍ପ/ପ୍ରସ୍ତାବର ମୋଟ୍‌ ବ୍ୟୟର ୨୫%(ଉତ୍ତର-ପୂର୍ବ ଏବଂ ହିମାଳୟ (ଏନଇଏଚ) ରାଜ୍ୟମାନଙ୍କୁ ଛାଡ଼ି, ଯେଉଁମାନେ ୧୦% ଯୋଗଦାନ ଦେବେ) ଯୋଗଦାନ ଦେବାକୁ ହେବ ଏବଂ ସେମାନେ ନିଜ ବଜେଟ୍‌ ସମ୍ବଳରୁ ଏହି ଅର୍ଥ ଯୋଗାଇ ଦେବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିପର୍ଯ୍ୟୟ ପ୍ରଶମନ ପ୍ରଭାଗର ୱେବସାଇଟ୍ https://ndmindia.mha.gov.in ରୁ ଯୋଜନାର ବିବରଣୀ ଡାଉନଲୋଡ୍‌ କରାଯାଇପାରିବ।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ, ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ରୁ ୧୨.୫ % ଲେଖାଏଁ [ମୋଟ୍‌ ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ପାଣ୍ଠି (ଏନଡିଆରଏମଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ପାଣ୍ଠି (ଏସଡିଆରଏମଏଫ) ମୋଟ୍‌  କର୍ପସର ୧୦%] ଅର୍ଥ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଓ କ୍ଷମତା ନିର୍ମାଣ ପାଇଁ ଖର୍ଚ୍ଚ କରିବାକୁ ଆୟୋଗ ସୁପାରିସ କରିଥିଲେ।

ଏନଡିଆରଏଫର ମୋଟ୍‌ କୋଷ ମଧ୍ୟରୁ ୫,୦୦୦ କୋଟି ଟଙ୍କାର ଅର୍ଥରାଶି ‘ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’ ପାଇଁ ପ୍ରାଥମିକତା ଆଧାରରେ ରଖାଯାଇଛି। ନିର୍ଦ୍ଧାରିତ ଆବଣ୍ଟନ ବାବଦରେ ମଞ୍ଜୁର ପ୍ରକଳ୍ପ ଲାଗି ପ୍ରତିବଦ୍ଧ ଦେୟତା ସେଗୁଡ଼ିକ ସମ୍ପୂର୍ଣ୍ଣ ହେବାର ଅବଧି ପରେ କୌଣସି ସ୍ପିଲ୍‌-ଓଭର ହେବ ନାହିଁ।

Related posts