ଏସିଆ କପ-୨୦୨୩: ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ; ଶ୍ରୀଲଙ୍କାରେ ହେବ ଭାରତ-ପାକ୍ ମ୍ୟାଚ୍

Published: Jul 12, 2023, 11:30 am IST

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍-୨୦୨୩ ମ୍ୟାଚ୍ କେବଳ ଶ୍ରୀଲଙ୍କାରେ ଖେଳାଯିବ। ଡର୍ବାନରେ ବିସିସିଆଇର ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ମୁଖ୍ୟ ଜକା ଆଶ୍ରାଫଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହା ନିଶ୍ଚିତ ହୋଇଛି। ହାଇବ୍ରିଡ ମଡେଲ ଅଧୀନରେ ଖେଳାଯାଇଥିବା ଚଳିତ ବର୍ଷର ଏସିଆ ଇଭେଣ୍ଟ ଆୟୋଜନ କରିବାର ପାକିସ୍ତାନର ଅଧିକାର ଅଛି, କିନ୍ତୁ ପାକିସ୍ତାନ ମାତ୍ର ୪ ଟି ମ୍ୟାଚ୍ ଆୟୋଜନ କରିବ, ବାକି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଖେଳାଯିବ।

ଏସିଆ କପ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବାକୁ ଡର୍ବାନରେ ଆଇସିସି ବୋର୍ଡ ବୈଠକ ପୂର୍ବରୁ ଜୟ ଶାହା ଏବଂ ଜକା ଆଶ୍ରାଫ ଏକ ଅନପୌଚାରିକ ବୈଠକ କରିଥିଲେ। ଏ ସମ୍ପର୍କରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଆମର ସଚିବ ପିସିବି ମୁଖ୍ୟ ଜକା ଆଶ୍ରାଫଙ୍କୁ ଭେଟି ଏସିଆ କପର କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିଛନ୍ତି, ଯାହା ବର୍ତ୍ତମାନ ଆଗକୁ ବଢିଛି।

କେବଳ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପରେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଖେଳିବ ବୋଲି ଅରୁଣ ଧୁମଲ ମଧ୍ୟ ତାଙ୍କ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏସିଆ କପ୍-୨୦୨୩ ରେ ଲିଗ୍ ପର୍ଯ୍ୟାୟର ୪ ଟି ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ ଏବଂ ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଯଦି ଉଭୟ ଦଳ ଫାଇନାଲରେ ପ୍ରବେଶ କରନ୍ତି, ତେବେ ତୃତୀୟ ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସିଆ କପ୍ ସମୟରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ପାକିସ୍ତାନ ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇଛି। ଏ ସମ୍ପର୍କରେ ଅରୁଣ ଧୁମଲ କହିଛନ୍ତି ଯେ, ସେପରି କୌଣସି ଆଲୋଚନା ହୋଇନାହିଁ, ନା ଭାରତୀୟ ଦଳ ସେଠାକୁ ଯାଉଛନ୍ତି ନା ସଚିବ ଜୟ ଶାହା ପାକିସ୍ତାନ ଗସ୍ତ କରିବେ। ଏସିଆ କପ୍ ର କାର୍ଯ୍ୟସୂଚୀକୁ ଅନ୍ତିମ ରୂପ ଦେବା ପାଇଁ ଏହି ବୈଠକ କରାଯାଇଛି।

Related posts