ପୋଲସରା ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଆରମ୍ଭ

Published: Jul 14, 2023, 10:45 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ବୁଧବାର ଦିନ ପୋଲସରା ବ୍ଳକ ଅଫିସ ଛକ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଛି। ପ୍ରଶାନ୍ତଙ୍କୁ ହିଞ୍ଜିଳି ଥାନା ଅଞ୍ଚଳରୁ ଗିରଫ କରି ଏତଲା ନଂ ୪୦୭/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ପ୍ରଶାନ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୨୩ ଟି ଗୁଳି ଓ ଗୋଟିଏ ଛୁରୀ ଜବତ୍ କରିଛି ପୋଲିସ। ଏତଦବ୍ୟତୀତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ରକ୍ତଭିଜା ଚାଦର ଓ ପୋଷାକ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ପୋଲସରା ବ୍ଳକ ଅଫିସ ଛକରେ ଗୁଳିକାଣ୍ଡ ଘଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ବିଜୟ ବେହେରାଙ୍କ ବିୟୋଗ ହୋଇଥିବା ବେଳେ ଝିଅ ଗାୟତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶଳାର ଶ୍ଵଶୁର ବିଜୟଙ୍କୁ ଗୁଳି ଚଳାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

Related posts