ନୂଆଦିଲ୍ଲୀ: କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ ଆରମ୍ଭ କରିଛି। ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧୦୦ନିୟୁତ ଟନ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି। ତେବେ କୋଇଲାକୁ ଗ୍ୟାସରେ ପରିଣତ କରି ଅଧିକରୁ ଅଧିକ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବାକୁ ମନ୍ତ୍ରଣାଳୟ ଏକ ବୃହତ ପୂର୍ଣ୍ଣାଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଚାର କରୁଛି। ଏଥି ପାଇଁ ୬୦୦୦କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ଆପାତତଃ ସ୍ଥିର ହୋଇଛି। ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବୈଷୟିକ ଓ ଆର୍ଥିକ ଦିଗକୁ ବିଚାର କରି କୋଇଲା ମନ୍ତ୍ରଣାଳୟ ଦେଖୁଛି। ଭାରତ ସ୍ୱଚ୍ଛ ତଥା ପ୍ରଦୂଷଣମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛି। ସେ ଦୃଷ୍ଟିରୁ କୋଇଲାକୁ ସିଧା ଜାଳେଣୀଭାବେ ବ୍ୟବହାର ନ କରି ଏହାକୁ ଗ୍ୟାସ୍ରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି। ଭାରତରେ ପ୍ରଚୁର କୋଇଲା ରହିଛି। ତାହାକୁ ଗ୍ୟାସରେ ପରିଣତ କଲେ ଦେଶରେ ସ୍ୱଚ୍ଛ ଇନ୍ଧନ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ। ତେବେ ଏହି ଗ୍ୟାସିଫିକେସନ ପ୍ରକିୟା ଅତ୍ୟନ୍ତ ବ୍ୟୟବହୁଳ ଓ ଏହାର ପ୍ରଯୁକ୍ତି ବା ଟେକ୍ନୋଲୋଜି ଯଥେଷ୍ଟ ଖର୍ଚ୍ଚ ସାପେକ୍ଷ। ସେ ଦୃଷ୍ଟିରୁ କୋଇଲାକୁ ଗ୍ୟାସରେ ପରିଣତ କରାଗଲେ କେତେ ଲାଭ, କେତେ କ୍ଷତି ହେବ ସେକଥା ମନ୍ତ୍ରଣାଳୟ ବିଚାର କରି ଦେଖୁଛି। ଭାରତର ଭବିଷ୍ୟତର ସ୍ୱଚ୍ଛ ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ସରକାର ବିଭିନ୍ନ ବିକଳ୍ପକୁ ବିଚାର କରି ଦେଖୁଛନ୍ତି। ସ୍ୱଚ୍ଛ ଇନ୍ଧନ ଶସ୍ତା ହେଲେ ଦେଶର ଅର୍ଥନୀତି ଉପରେ ଏହାର ଉତ୍ତମ ପ୍ରଭାବ ପଡିବ।
ଭାରତରେ କୋଇଲା ଗ୍ୟାସିଫିକେସନ ଟେକ୍ନୋଲୋଜିର ପ୍ରବର୍ତ୍ତନ ଫଳରେ କୋଇଲା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ। ଏହା ଦ୍ୱାରା ଆମଦାନୀ ହେଉଥିବା ଗ୍ୟାସ ଉପରୁ ନିର୍ଭରଶୀଳତା କମିବ। ସେହିଭଳି ଦେଶର ମେଥାନଲ୍, ଆମୋନିଆ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ମଧ୍ୟ ହ୍ରାସ ପାଇବ। ଏବେ ଭାରତ ତାହାର ଆବଶ୍ୟକତାର ୫୦ଶତାଂଶ ପ୍ରାକୃତିକ ଗ୍ୟାସ, ୯୦% ମେଥାନଲ ଓ ପ୍ରାୟ ୧୫% ୟୁରିଆ ବିଦେଶରୁ କିଣୁଛି। ତେଣୁ କୋଇଲା ଗ୍ୟାସ ଉତ୍ପାଦିତ ହେଲେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିବ। ଏହା ଦ୍ୱାରା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।
ସୁତରାଂ କୋଇଲା ମନ୍ତ୍ରଣାଳୟ କୋଇଲାକୁ ଗ୍ୟାସରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ଉପରେ କାମ କରୁଛି। ସେଥି ପାଇଁ ପୂର୍ଣ୍ଣାଙ୍ଗ ନୀତି ପ୍ରସ୍ତୁତ କରାଯାଉଛି। ଏଥିରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ପ୍ରୟାସ ଚାଲିଛି ଏବଂ ଏଥି ପାଇଁ ମୋଟ ୬୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ଆପାତତଃ ଚୂଡାନ୍ତ ହୋଇଛି। ଏହି ଯୋଜନାରେ ପ୍ରଥମେ ଲିଗ୍ନାଇଟ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ବିଚାର କରାଯାଉଛି। ଲିଗ୍ନାଇଟ କୋଇଲା ଦେଖିବାକୁ ଧୂସର, ନରମ ଏବଂ ଦହନଶୀଳ। ସରକାର ଏହି କାମକୁ ଉଭୟ ରାଷ୍ଟ୍ରାୟତ୍ତଉଦ୍ୟୋଗ ଓ ବେସରକାରୀ ଶିଳ୍ପ ସଂସ୍ଥାକୁ ଦେବାକୁ ଚିନ୍ତା କରୁଛନ୍ତି। ଏଥି ପାଇଁ ଟେଣ୍ଡର ମାଧ୍ୟମରେ ଶ୍ରେଷ୍ଠ ବିଡ୍ରଙ୍କୁ ବଛାଯିବ। ଆବଶ୍ୟକ ସ୍ଥଳେ ଟେଣ୍ଡର ପାଇଥିବା ଉଦ୍ୟୋଗ ବା ସଂସ୍ଥାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇବେ।
ଅତିକମ୍ରେ ଏଭଳି ଏକ ପ୍ରକଳ୍ପକୁ ଟାରିଫ୍ ଭିତ୍ତିରେ ଟେଣ୍ଡର ଦିଆଯିବ। ଏଥି ପାଇଁ ନୀତି ଆୟୋଗ ସହାୟତାରେ ଆବଶ୍ୟକ ନୀତି ନିୟମ ପ୍ରସ୍ତୁତ କରାଯିବ। ଏହାଛଡା କୋଇଲା ଗ୍ୟାସିଫିକେସନ ପ୍ରକଳ୍ପରେ ଦେଶୀ ଟେକ୍ନୋଲୋଜି ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି।
ଆହୁରି ମଧ୍ୟ ଏହି ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବ୍ୟବହୃତ କୋଇଲା ଓ ଉତ୍ପାଦିତ ଗ୍ୟାସ ଉପରେ ଜିଏସ୍ଟି ରିହାତି ଦେବେ। ତା’ଛଡା ସମ୍ପୃକ୍ତ କମ୍ପାନୀ ସେସ୍ ବାବଦରେ ସରକାରଙ୍କୁ ଯେଉଁ ଟିକସ ଦେଇଥିବେ ତାହାକୁ ଫେରସ୍ତ ଦିଆଯିବ। ଏସବୁ ଟିକସ ଜନିତ ରିହାତି ସୁବିଧା ବ୍ୟବସାୟିକ ଉତ୍ପାଦନ ଆରମ୍ଭର ୧୦ବର୍ଷ ଯାଏ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।
କୋଇଲା ମନ୍ତ୍ରଣାଳୟ ମଧ୍ୟ କୋଲ ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ମାଟି ଉପରୁ ମିଳୁଥିବା କୋଇଲା ଖଣି ଅଞ୍ଚଳରେ ଗ୍ୟାସିଫିକେସନ କାମ ସହଯୋଗ ଭିତ୍ତିରେ ଆରମ୍ଭ କରିବାକୁ ଭେଲ, ସିଆରଇଏଲ, ଗେଲ୍, ଆଇଓସିଏଲ ଆଦିଙ୍କ ମଧ୍ୟରେ୨୦୨୨ରେ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେଥି ମଧ୍ୟରୁ ଇସିଏଲ, ଏମ୍ସିଏଲ ଓ ଡବ୍ଲ୍ୟୁ ସିଏଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ସର୍ଭେ ଆଦି କାମ ଆରମ୍ଭ ହୋଇଛି। ଫିଜିବିଲିଟି ରିପୋର୍ଟ ଆସିବା ପରେ ଗ୍ୟାସିଫିକେସନ ପ୍ରକଳ୍ପ କାମ ଆରମ୍ଭ ହେବ।
କୋଇଲା ଗ୍ୟାସିଫିକେସନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କୋଇଲା ମନ୍ତ୍ରଣାଳୟ ବଦ୍ଧ ପରିକର। ଏହା ଦ୍ୱାରା ଦେଶର ବ୍ୟାପକ ହିତ ସାଧନ ହେବ। ଏଥିରେ ସରକାରୀ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ ସଂସ୍ଥା, ଏବଂ ବେସରକାରୀ ଉଦ୍ୟୋଗମାନଙ୍କୁ ସାମିଲ କରିବାକୁ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି। ପୁଞ୍ଜିନିବେଶ, ଇନୋଭେସନ ଆଦି ପାଇଁ ସରକାର ମଧ୍ୟ ଏ କ୍ଷେତ୍ରରେ କାମ ଜାରି ରଖିଛନ୍ତି।