ପୁଣି ଟମାଟୋ ଦର କମାଇଲେ କେନ୍ଦ୍ର ସରକାର

Published: Jul 19, 2023, 8:27 pm IST

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ୨୦ ଜୁଲାଇ, ୨୦୨୩ ଠାରୁ କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରି କରିବା ଲାଗି ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଏନସିସିଏଫ ଏବଂ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି। ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣା ଯାଇଥିବା ଟମାଟୋକୁ ଜୁଲାଇ ୧୬, ୨୦୨୩ ଠାରୁ କିଲୋ ପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରିବେ।

ସୂଚନାଯୋଗ୍ୟ ଯେ, ଗତ ୧ ମାସ ହେବ ଦେଶର ବିଭିନ୍ନ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ ବୃଦ୍ଧି ପାଇଥିଲା। ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନ ସ୍ଥାନରେ ବିକ୍ରି କରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନାଫେଡ ଏବଂ ଏନ୍‌ସିସିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୁଇ ସଂସ୍ଥା ଗତକାଲି ସୁଦ୍ଧା ୩୯୧ ମେଟ୍ରିକ ଟନ ଟମାଟୋ କିଣି ଶସ୍ତା ଦରରେ ଉପଭୋକ୍ତାଙ୍କୁ ଯୋଗାଇ ଦେଇଛନ୍ତି। ଦିଲ୍ଲୀ-ଏନସିଆର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ବିହାରର ପ୍ରମୁଖ ଉପଯୋଗ କେନ୍ଦ୍ରରେ ଖୁଚୁରା ଉପଭୋକ୍ତାଙ୍କୁ ଏହି ଦୁଇ ସଂସ୍ଥା ଦ୍ୱାରା ଟମାଟୋ ବିକ୍ରି କରାଯାଉଛି।

Related posts