ଟାଙ୍ଗୀ: ଜାତୀୟ ରାଜପଥରେ ଭୟାବହ ସଡକ ଦୁର୍ଘଟଣା, ୧୦ ରୁ ଅଧିକ ଗୋରୁ ମୃତ

Published: Jul 24, 2023, 9:30 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଭୟାବହ ଦୁର୍ଘଟଣା ଘଟିଯାଇଛି। ଶୋଇଥିବା ବେଳେ ଗୋରୁ ପଲ ଉପରେ ଟ୍ରକ୍ ଚଢିଯାଇଛି। ଯାହା ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିବା ଜଣା ପଡିଛି।

ଗତ କାଲି ବିଳମ୍ବିତ ରାତିରେ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଗୋରୁ ପଲ ଶୋଇଥିବା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ.ମାଲ ବାହୀ ଟ୍ରକ୍ ଗୋରୁ ପଲ ଉପରେ ଚଢି ଯାଇଥିଲା। ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିଲା ଏବଂ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହୀନୀ ସହ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଗୋମାତାଙ୍କୁ ଉଦ୍ଧାର କରିଥିଲେ। ଟାଙ୍ଗୀର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମଦର ଟେରେସା ସେବା ସଂଘର କର୍ମକର୍ତ୍ତା ମାନେ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ। ରାତି ପ୍ରାୟ ୧୨ ଟା ସମୟରୁ ରାତି ୨ ଟା ପର୍ଯ୍ୟନ୍ତ  ଊଦ୍ଧାର କାର୍ଯ୍ୟ ଚାଲିଥିଲା।

ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି।

Related posts