ମଣିପୁର ବିଷୟ ପାଇଁ ପଛଗୁଞ୍ଚା କାହିଁକି ଦେଉଛି ବିରୋଧୀ, ଆମେ ଚାହୁଁ ସତ୍ୟ ସାମ୍ନାକୁ ଆସୁ: ଅମିତ ଶାହା

Published: Jul 24, 2023, 5:01 pm IST

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କହିଛନ୍ତି ଯେ, ମୁଁ ଗୃହରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି।

କିନ୍ତୁ ବିରୋଧୀ ତାଙ୍କର ଦାବି ଉପରେ ଜିଦ୍ ଧରିଛନ୍ତି। ଲୋକସଭାର ପ୍ରକ୍ରିୟା ଆରମ୍ଭ ହେଉ ହେଉ ବିରୋଧୀମାନେ ସ୍ଲୋଗାନ ଦେବା ଆରମ୍ଭ କରି ଦେଉଛନ୍ତି। ଏହା ପରେ ଲୋକସଭା ବାଚସ୍ପତିଙ୍କୁ ଗୃହର କାର୍ଯ୍ୟକୁ ମୁଲତବୀ କରିବାକୁ ପଡିଛି। ଆସନ୍ତାକାଲି ଜୁଲାଇ ୨୫ ତାରିଖ ସକାଳ ୧୧ ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ତଥା ଲୋକସଭାର ଉପ-ନେତା ରାଜନାଥ ସିଂ ସଂସଦରେ ମଣିପୁର ପ୍ରସଙ୍ଗରେ ହଟ୍ଟଗୋଳ ଶେଷ କରିବାକୁ ଉଦ୍ୟମ କରି ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଫୋନରେ କଥା ହୋଇଛନ୍ତି।

ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବୃତ୍ତି ଦେବା ଏବଂ ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳ ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ହଙ୍ଗମା ହେବାରୁ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦୁଇ ଦିନରେ ଉଭୟ ଗୃହର ପ୍ରକ୍ରିୟା ବାରମ୍ବାର ବ୍ୟାହତ ହୋଇଥିଲା।

Related posts