ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

Published: Jul 25, 2023, 8:14 am IST
draupadi murmu

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ।

୨୫ ଜୁଲାଇ ୨୦୨୩ ସନ୍ଧ୍ୟାରେ ରାଷ୍ଟ୍ରପତି ଅତୁଟ-ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିବେ ଏବଂ ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ନୂଆ ଅଟ୍ଟାଳିକା  ପାଇଁ ଶିଳାନ୍ୟାସ କରିବେ।

୨୬ ଜୁଲାଇ ୨୦୨୩ରେ ରାଷ୍ଟ୍ରପତି କଟକ ଠାରେ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି ଦିନ ସେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଏବଂ କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେବେ।

ଜୁଲାଇ ୨୭ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନ ପରିସରରେ ଅତି ପଛୁଆ ଜନଜାତି ସମୁଦାୟର ସଦସ୍ୟମାନଙ୍କ ସହିତ ମତବିନିମୟ କରିବେ। ସେହିଦିନ, ସେ ଚଳିତ ବର୍ଷର ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଷୟବସ୍ତୁ, ‘‘ସକାରାତ୍ମକ ପରିବର୍ତ୍ତନର ବର୍ଷ’’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶବ୍ୟାପୀ ଆଲୋଚନାଚକ୍ର ଓ ସମ୍ମିଳନୀ ଆୟୋଜନ କରାଯିବ। ଏଥିସହିତ ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ଠାରେ ଏହାର ‘‘ଲାଇଟ୍‌ହାଉସ୍‌ କମ୍ପ୍ଲେକ୍ସ’’ ପାଇଁ ଶିଳାନ୍ୟାସ କରିବେ।

Related posts