
କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି।
ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ପାଣିମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିମିରିକୁଦା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ସୋମବାର ରାତିରେ ଗାଁର ଜଣେ ବ୍ୟକ୍ତିଙ୍କୁ ଘରେ ପଶି ଵିଭତ୍ସ ଭାବେ ହତ୍ୟା କରା ଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ଡିମିରିକୁଦା ଗ୍ରାମର ଶୁକ୍ରୁ ମାଝୀ (୫୦)। ଖବର ପାଇ କିସିଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବରରୁ ଯାହା ଜଣା ପଡିଛି, ଡିମିରିକୁଦା ଗାଁର ମୃତକ ଶୁକ୍ରୃ ମାଝୀ ଘରେ ଠାକୁର ପୂଜା କରନ୍ତି। ହେଲେ ସେହି ଗାଁର ସଞ୍ଜୁ ମାଝୀଙ୍କ ୪ ବର୍ଷ ପୁଅର ଗତ କିଛି ଦିନ ତଳେ ମୃତ୍ୟୁ ହୋଇଯାଇଥିଲା। ସେଥିପାଇଁ ସଞ୍ଜୁ ମାଝୀର ପରିବାର ଶୁକ୍ରୃ ଗୁଣି ଗାରେଡି କରି ପୁଅକୁ ମାରିଦେଇଥିବା ସନ୍ଦେହ କରି ପୂର୍ବରୁ ବହୁବାର ଗଣ୍ଡଗୋଳ କରି ଆସୁଥିଲେ। ହେଲେ ଗୁଣିଗାରେଡିକୁ ସନ୍ଦେହ କରି ସୋମବାର ବିଳମ୍ବିତ ରାତିରେ ସଞ୍ଜୁ ମାଝୀ କାଠ ଫାଳିଆ ଓ ଟାଙ୍ଗିଆରେ ଘରକୁ ପଶି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାକୁ ଦେଖି ଶୁକ୍ରୃର ସ୍ତ୍ରୀ ରତନୀ ମାଝୀ ସେମାନଙ୍କୁ ଦେଖି ଲୁଚି ପଳାଇ ଯାଇଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି।
ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର, କିସିଣ୍ଡା ଥାନା ଆଇଆଇସି ଅଞ୍ଜଳି କୁମ୍ଭାର ପ୍ରମୁଖ ସଦଳ ବଳେ ପହଞ୍ଚି ଅଭିଯୁକ୍ତ ସଂଜୁ ମାଝିକୁ ଅଟକ ରଖି ତଦନ୍ତ କରୁଛି। ତଦନ୍ତରୁ ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ହୋଇ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟାକାଣ୍ଡ ଘଟଣାର ଅଧିକ ତଦନ୍ତ କରିବା ପାଇଁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ଶବ ବ୍ୟବଛେଦ ପାଇଁ ରେଢ଼ାଖୋଲ ପଠାଯାଇଛି