
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୯ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡ. ଜୟନ୍ତୀ ରଥ, ପୂର୍ବତନ ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଏବଂ ସଚିବ ସାହିତ୍ୟ ଏକାଡେମୀ, ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଯୋଗଦାନ କରିଥିଲେ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା।
ଏହି ଅବସରରେ ମୁଖ୍ୟ ବକ୍ତା ଡ. ରଥ କହିଥିଲେ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ରାଣୀ ଏବଂ ରାଜକନ୍ୟାମାନଙ୍କ ଅବଦାନ ଅତୁଳନୀୟ। ଆଜି ରାଜତନ୍ତ୍ର ନାହିଁ। ରାଣୀ, ରାଜକନ୍ୟା ଏ ଶବ୍ଦର ପ୍ରଚଳନ ନାହିଁ। ତେବେ ଓଡ଼ିଶାର ଇତିହାସକୁ ନିରୀକ୍ଷଣ କଲେ ଅତୀତ ଉତ୍କଳରେ ରାଜ ବଂଶୀୟ ରମଣୀଙ୍କର ଉଜ୍ୱଳ କୀର୍ତ୍ତିର ଅଜସ୍ର ଉଦାହରଣ ଆମେ ପାଇ ପାରିବା। ଅଷ୍ଟମ ଓ ନବମ ଶତାବ୍ଦୀରେ ଏକାଦିକ୍ରମେ ୬ ଜଣ ରାଣୀ ସର୍ବଭୌମ କ୍ଷମତାର ଅଧିକାରିଣୀ ହୋଇ ରାଜ୍ୟ ଶାସନ କରିଥିଲେ। ଏଭଳି ଦୃଷ୍ଟାନ୍ତ ସମଗ୍ର ବିଶ୍ୱରେ ବିରଳ।
ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ଆଜି ବି ଉଦ୍ଘୋଷଣା କରୁଛି ଗଙ୍ଗବଂଶର ରାଜକନ୍ୟା ଚନ୍ଦ୍ରିକା ଦେବୀ ଓ ସୋମ ବଂଶର ମହାରାଣୀ କଳାବତୀ ଦେବୀଙ୍କ ନାମ। ଅଷ୍ଟମ ଶତାବ୍ଦୀରେ ସମ୍ବଳ ଦେଶର ରାଜକନ୍ୟା ଲକ୍ଷ୍ମୀକରା ସହଜଯାନର ପ୍ରବର୍ତ୍ତନ କରିଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ୱ ହସ୍ତାନ୍ତର ନକରିବା ପାଇଁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରାଣପାତ ଉଦ୍ୟମ କରିଥିଲେ ସୂର୍ଯ୍ୟମଣୀ ପାଟମହାଦେଇ।
ଅନ୍ତଃପୁରରେ ଥାଇ, ବହୁ ରାଜଜେମା ଭଜନ, ଜଣାଣ, କାବ୍ୟ ରଚନାରେ ଅସାଧାରଣ ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟରେ ସୂର୍ଯ୍ୟମଣି ଜେମା, କଳ୍ପଲତା ଜେମା, କ୍ଷୀରୋଦମାଳୀ ଜେମା, ନିଃଶଙ୍କରାୟ ରାଣୀଙ୍କ ନାମ ଉଲ୍ଲେଖ ଯୋଗ୍ୟ।
ସୋନପୁର (ସୁବର୍ଣ୍ଣପୁର)ର ରାଣୀ ପାର୍ବତୀ ଦେବୀ (ବୀରମିତ୍ରୋଦୟ ସିଂହଦେଓଙ୍କ ପତ୍ନୀ) ସମାଜ ସେବା, ସାହିତ୍ୟ ଉଭୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିଲେ।
କୁଜଙ୍ଗର ରାଣୀ ଭାବବତୀ ପାଟମହାଦେଇ ଭାରତର ପ୍ରଥମ ରାଜ ବଂଶୀୟା ନାରୀ ଯିଏ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗ ନେଇଥିଲେ। ଦେଶ ସ୍ୱାଧୀନ ହେବା ପରେ ପ୍ରତ୍ୟକ୍ଷ ରାଜନୀତିରେ ଅବତୀର୍ଣ୍ଣ ହୋଇ ବହୁ ରାଣୀ ସୁନାମ ଅର୍ଜନ କରିଛନ୍ତି।
ରଣପୁରର ରାଣୀ ବସନ୍ତ ମଞ୍ଜରୀ ଦେବୀ, ଢ଼େଙ୍କାନାଳର ରାଣୀ ରତ୍ନପ୍ରଭା ଦେବୀ, ଆଳିର ରାଣୀ ସୁଶ୍ରୀ ଦେବୀ ଖଲିକୋଟର ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ନାମ ସ୍ମରଣ କରାଯାଇ ପାରେ। ଶୀଳାଲେଖ, ତାମ୍ରପାତ୍ର ଓ ଐତିହାସିକ ଦସ୍ତାବିଜ ଉପରେ ଆଧାରିତ ତାଙ୍କର ଆଲୋଚନା ବେଶ୍ ଭାବଗର୍ଭକ ଥିଲା।
ସମ୍ପାନର ମୁଖ୍ୟ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଏବଂ ସଚିବ, ସାହିତ୍ୟ ଏକାଡେମୀ ଶୁଚିସ୍ମିତା ମନ୍ତ୍ରୀ ରାଜତନ୍ତ୍ର ସମୟରେ ନାରୀ ସଶକ୍ତି କରଣ ଥିବାର ସୂଚନା ଦେବା ସହ ବର୍ତ୍ତମାନ ସମୟରେ ନାରୀ ସଶକ୍ତି କରଣ ଏବଂ ନାରୀମାନଙ୍କର ସମାଜରେ ଭୂମିକା ଉପରେ ସମ୍ୟକ ଆଲୋକପାତ କରିଥିଲେ।
ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ମୁକ୍ତ ଆଲୋଚନା ହୋଇଥିଲା ଯେଉଁଥିରେ ଉପସ୍ଥିତ ଶ୍ରୋତାମଣ୍ଡଳୀ ମୁଖ୍ୟ ବକ୍ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ତାହାର ଉତ୍ତର ପାଇଥିଲେ।