ମହାମେଣ୍ଟରେ ଫାଟ : ଏକାକୀ ଉପ ନିର୍ବାଚନ ଲଢିବ ବିଏସ୍‌ପି

Published: Jun 3, 2019, 7:02 pm IST

ଉତ୍ତରପ୍ରଦେଶ ସପା-ବସପା ମହାମେଣ୍ଟରେ ଔପଚାରିକ ଭାବରେ ବ୍ରେକ୍ ଲାଗିଛି। ସାଧାରଣ ନିର୍ବାଚନରେ ମହାମେଣ୍ଟର ପରାଜୟ ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଏସପି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦାୟୀ କରିଛନ୍ତି। ତେଣୁ ୧୧ଟି ଆସନରେ ହେବାକୁ ଥିବା ଆଗାମୀ ଉପ-ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଆଜି ମାୟାବତୀ କହିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସପା ବସପା ନିଜର ସମସ୍ତ ରାଗ ଅଭିମାନ ଭୁଲି ଏକତ୍ର ହୋଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନରେ ମଧ୍ୟ ଏକତ୍ର ଲଢିବେ ବୋଲି ନିର୍ବାଚନୀ ସଭାରେ ମାୟାବତୀ ଓ ଅଖିଳେଶ କହିଥିଲେ। ତେବେ ନିର୍ବାଚନ ଫଳାଫଳରେ ବିଜେପି ପାଖରୁ ଏହି ମହାମେଣ୍ଟର ପରାଜୟ ବରଣ ପରେ ଅଖିଳେଶଙ୍କୁ ସମସ୍ତ ଦୋଷ ଦେଇଛନ୍ତି ମାୟାବତୀ। ନିର୍ବାଚନରେ ମେଣ୍ଟରୁ ଯେତିକି ଆଶା କରାଯାଇଥିଲା ପରିଣାମ ତା’ଠାରୁ ମଧ୍ୟ କମ୍‌ ରହିଛି  ଏବଂ ଏହାସହିତ ଯାଦବଙ୍କ ଭୋଟ ଟ୍ରାନ୍ସଫର ହୋଇପାରି ନ ଥିଲା ବୋଲି ମାୟା କହିଛନ୍ତି। କେବଳ ଏତିକି ନୁହେଁ, ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜ ପତ୍ନୀ ଓ ଭାଇଙ୍କୁ ନିର୍ବାଚନରେ ଜିତାଇ ପାରିଲେ ନାହିଁ ବୋଲି ମାୟାବତୀ କହିଛନ୍ତି। ତେବେ ମାୟାଙ୍କ ଏପରି କଥାରୁ ମହାମେଣ୍ଟର ଫାଟ ହୋଇଥିବାର ଜଣାପଡୁଛି। ଚଳିତ ନିର୍ବାଚନରେ ଚଳିତ ନିର୍ବାଚନରେ ୮୦ ଲୋକସଭା ଆସନରୁ ବିଜେପି ୬୨ଟି ଓ ସହଯୋଗୀ ‘ଆପନା ଦଳ’ ୨ଟି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ମହାମେଣ୍ଟର ବିଏସପି ୧୦ଟି, ଏସପି ୫ଟି ଜିତିଥିବା ବେଳେ ଆରଏଲଡି କୌଣସି ଆସନ ଜିତି ନାହିଁ।

Related posts