ଆୟର୍ଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ନେତୃତ୍ଵ ନେବେ ଜସପ୍ରୀତ ବୁମ୍ରା

Published: Jul 31, 2023, 9:07 pm IST

ନୂଆଦିଲ୍ଲୀ: ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି। କେବଳ ଏତିକି ନୁହେଁ, ଜସପ୍ରୀତ ବୁମ୍ରାଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଆୟର୍ଲାଣ୍ଡ ଗସ୍ତରେ କେବଳ ଯୁବ ଖେଳାଳି ପଠାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଆୟର୍ଲାଣ୍ଡ ଗସ୍ତ ପାଇଁ ରିତୁରାଜ ଗାଇକ୍ଵାଡଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।

ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ ଶେଷରେ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ ପାଇଁ ଜିତେଶ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ବୁମରାଙ୍କ ବ୍ୟତୀତ ଆଘାତରୁ ସୁସ୍ଥ ହୋଇଥିବା ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ମଧ୍ୟ ଦଳକୁ ଫେରିଛନ୍ତି। ଦୀର୍ଘ ସମୟ ପରେ ଶିବମ୍ ଦୁବେଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି।

ବଡ ଖେଳାଳିମାନଙ୍କୁ ବିଶ୍ରାମ:

ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଟି -୨୦ ମ୍ୟାଚ୍ ର ସିରିଜ୍ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ। ଦ୍ୱିତୀୟ ଟି-୨୦ ଅଗଷ୍ଟ ୨୦ ତାରିଖରେ ଖେଳାଯିବ। ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ଖେଳାଯିବ। ଏସିଆ କପ୍ କୁ ଦୃଷ୍ଟିରେ ରଖି ଆୟର୍ଲାଣ୍ଡ ଗସ୍ତରୁ ସମସ୍ତ ବଡ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡେଜା, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ସିରାଜ ଏହି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

କିନ୍ତୁ ଏହି ସିରିଜ ପାଇଁ ଦୁଇ ଖେଳାଳି ଫେରି ନାହାଁନ୍ତି। କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଅଧିକ ଗମ୍ଭୀର ହୋଇଛି। ବର୍ତ୍ତମାନ ଏସିଆ କପ୍ ପାଇଁ ଏହି ଦୁଇ ଖେଳାଳି ଉପଲବ୍ଧ ହେବେ କି ନାହିଁ ସେନେଇ ବିସିସିଆଇ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।

ଭାରତୀୟ ଦଳ: ଜସପ୍ରୀତ ବୁମ୍ରା (କ୍ୟାପଟେନ), ରିତୁରାଜ ଗାଇକ୍ଵାଡ, ଯଶସ୍ୱୀ ଜୟସ୍ଵାଲ, ତିଲକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ନୋଇ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂ, ମୁକେଶ କୁମାର

Related posts