ଜନପ୍ରତିନିଧିଙ୍କ ଫୋନ ନ ଉଠାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ଯୋଗୀ ସରକାରଙ୍କ ନିର୍ଦ୍ଦେଶ

Published: Aug 5, 2023, 3:07 pm IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଗତ କିଛି ଦିନ ହେବ ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କ ଫୋନ୍ ଉଠାଇ ନ ଥିବା ଅଧିକାରୀଙ୍କ ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ବିଭାଗର ମୁଖ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ଯଦି ଅଧିକାରୀମାନେ ଜନ ପ୍ରତିନିଧୀଙ୍କ ଫୋନ ନ ଉଠାନ୍ତି, ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାସ୍ତବରେ, ୟୁପିରେ ଥିବା ସମସ୍ତ ଜିଲ୍ଲାରେ ନିଯୁକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଶ୍ଚିତ ଭାବରେ ଜନ ପ୍ରତିନିଧୀଙ୍କ କଲ୍ ଉଠାଇବେ। ନିକଟରେ କେନ୍ଦ୍ର ମନ୍ତ୍ରୀ କୌଶଳ କିଶୋର ଉଚ୍ଚ ସ୍ତରରେ ଅଭିଯୋଗ କରିଛନ୍ତି ଯେ ମାଧ୍ୟାଞ୍ଚଳ ଏମଡି ଭବାନୀ ସିଂ ଫୋନ୍ ଉଠାଉ ନାହାଁନ୍ତି, ଯାହା ପରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି ବୋଲି ବିଶ୍ୱାସ କରାଯାଉଛି।

ତେବେ ଅଧିକାରୀମାନେ ମୋବାଇଲରେ ସାଂସଦ ଏବଂ ବିଧାୟକଙ୍କ ନମ୍ବର ସେଭ କରିବା ଉଚିତ ଏବଂ ସେମାନଙ୍କ ସହ ଉଚିତ ସମ୍ମାନର ସହ କଥା ହେବା ଉଚିତ ବୋଲି ନିର୍ଦ୍ଦେଶରେ ଲେଖାଯାଇଛି। ଏଥିସହ, ଯଦି ଅଧିକାରୀମାନେ ବୈଠକ ସମୟରେ ଫୋନ୍ ଉଠାଇବାକୁ ଅସମର୍ଥ ହୁଅନ୍ତି, ତେବେ ବୈଠକ ସରିବା ପରେ ତୁରନ୍ତ କଲ୍ କରିବାକୁ ହେବ।

ପ୍ରକାଶ ଥାଉ ଯେ,ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଲୋକ ପ୍ରତିନିଧୀଙ୍କ ସମସ୍ୟା ଶୁଣିବା ଏବଂ ଏହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ, ଏପରି ଘଟଣା ଘଟିବା ପରେ, ବର୍ତ୍ତମାନ ସମସ୍ତ ବିଭାଗର ମୁଖ୍ୟମାନଙ୍କୁ ଚିଠି ଲେଖି ମୁଖ୍ୟ ଶାସନ ସଚିବ ସଂସଦୀୟ ବ୍ୟାପାର ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି।

Related posts