ବାଲୁଗାଁ: ପାସେଞ୍ଜର ଟ୍ରେନରୁ ମହିଳାଙ୍କ ଶବ ଉଦ୍ଧାର କଲା ଆରପିଏଫ

Published: Aug 17, 2023, 6:59 am IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଠାରେ କଟକ-ପଲାସା ପାସେଞ୍ଜର ଟ୍ରେନ ମଧ୍ୟରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି ଆରପିଏଫ। ମୃତକ ଜଣକ ଖୋର୍ଦ୍ଧା ଅରଗୁଳ ଅଞ୍ଚଳର ଅର୍ଜୁନ ସିଂ ଙ୍କ ପତ୍ନୀ ବିଷ୍ଣୁପ୍ରିୟା ସିଂ (୬୫)। ବିଷ୍ଣୁପ୍ରିୟାଙ୍କ ପୁତ୍ର ଗୋପୀ ସିଂ ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଛତିଶଗଡ ମହସାମୁଣ୍ଡ ରେଳଷ୍ଟେସନରେ ଆରପିଏଫ ଏଏସଆଇ ଭାବେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି।

ସୂଚନା ମୁତାବକ ବିଷ୍ଣୁପ୍ରିୟା ଗତକାଲି ରାତିରେ କଟକ-ପଲାସା ପାସେଞ୍ଜର ଟ୍ରେନରେ ଖୋର୍ଦ୍ଧାରୁ ଅରଗୁଳ ଯାଉଥିବା ବେଳେ ଖୋର୍ଦ୍ଧା ଷ୍ଟେସନ ଛାଡିବା ମାତ୍ରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ତେବେ ଟ୍ରେନ ଟି ବାଲୁଗାଁ ଷ୍ଟେସନରେ ପହଞ୍ଚିବା ପରେ ପାସେଞ୍ଜର ମାନେ ଏ ନେଇ ବାଲୁଗାଁ ଆରପିଏଫକୁ ଖବର ଦେଇଥିଲେ।

ଆରପିଏଫ କର୍ମଚାରୀମାନେ ଟ୍ରେନରୁ ଶରୀର ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ହୃଦଘାତ ଲାଗି ହୋଇଥିବାର ଅନୁମାନ କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।

ଆଜି ଖୋର୍ଦ୍ଧା ରୋଡ ଜିଆରପି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି।

Related posts