ବାଣପୁର: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଠିକାଦାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଗ୍ରାମବାସୀ

Published: Aug 28, 2023, 6:05 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ବାହାରକୁ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ଶବକୁ ଗାଡ଼ିରେ ରଖି ବାଣପୁର ଥାନାରେ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ସତ୍ୟ ରଣସିଂହଙ୍କ ପୁଅ ସୁନୀଲ ରଣସିଂହ (୧୯) ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିଲେ। ବାପା ସତ୍ୟଙ୍କର ଶରୀର ଅସୁସ୍ଥ ଥିବାରୁ ପୁଅ ରୋଜଗାର କରିଲେ ବାପା ତମେ ଔଷଧ କଣିବ ବୋଲି କହି ବାଣପୁର ଦାଶରଥିପୁର ଗ୍ରାମର ଠିକାଦାର ପ୍ରଦୀପ ପରିଡାଙ୍କ ସାଥିରେ ସୁଦୂର ଚେନ୍ନାଇ ସହରକୁ ଯାଇଥିଲେ। ମାତ୍ର ଏକମାସ ତଳେ ସୁନୀଲ ଯାଇଥିବା ବେଳେ କାମ ଠିକସେ କରିପାରୁ ନଥିବାରୁ ଠିକାଦାର ତାକୁ ମାରଧର କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ତେବେ ଅତ୍ୟଧିକ ମାରଧର କରିବା ଏବଂ ଠିକରେ ଖାଇବାକୁ ନ ଦେବାରୁ ସୁନୀଲଙ୍କର ସେଠାରେ ଶରୀର ମଧ୍ୟ ଅସୁସ୍ଥ ହୋଇଯାଥିଲା। ଠିକାଦାର ଚେନ୍ନାଇରେ ସୁନୀଲଙ୍କୁ ଚିକିତ୍ସା ନ କରି ଟ୍ରେନ ଟିକେଟ କାଟି ଗ୍ରାମକୁ ଅନ୍ୟଜଣେ ଶ୍ରମିକଙ୍କ ସହ ଛାଡିଦେଇଥିଲେ। ସେଠାରୁ ମାତ୍ର ୧୦୦ କିଲୋମିଟର ଦୂର ନେଲୁର ଷ୍ଟେସନଠାରେ ସୁନୀଲଙ୍କର ବାନ୍ତି ହୋଇଥିଲା।  ଟ୍ରେନରେ ବସିଥିବା ଯାତ୍ରୀମାନେ ବାହାରକୁ ବାହାର କରିଦେଇଥିଲେ। ଫଳରେ ଷ୍ଟେସନର ଅତ୍ୟଧିକ ଖରାରେ ପଡି ସୁନୀଲଙ୍କର ମୃତ୍ୟୁ ଘଟିଥିଲା।

ମୃତ ଶରୀର ସେଠାରୁ ଆଣିବାକୁ ଠିକାଦାର କୌଣସି ପଦକ୍ଷେପ ନ ନେବାରୁ ପରିବାର ଲୋକ ଧାର କରଜ କରି ଗ୍ରାମବାସିଙ୍କ ସହାୟତାରେ ଦୀର୍ଘ ଚାରିଦିନ ପରେ ଆମ୍ବୁଲାନ୍ସ ମାଧ୍ୟମରେ ମୃତ ଶରୀର ଆଣିଛନ୍ତି। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇ ବାଣପୁର ଥାନାରେ କ୍ଷତିପୂରଣ ଦାବିରେ ହୋ ହଲ୍ଲା କରିଥିବା ବେଳେ ପୋଲିସ ବୁଝାସୁଝା କରିଛି।

ସ୍ଥାନୀୟ କିଛି ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ଠିକାଦାର କ୍ଷତିପୂରଣ ବାବଦକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାପାଇଁ ସହମତି ପ୍ରକାଶ କରିବାରୁ ଗ୍ରାମବାସୀ ଥାନାରୁ ଫେରିଥିବା ଜଣାପଡ଼ିଛି।

Related posts