ନୂଆଦିଲ୍ଲୀ: “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱତନ୍ତ୍ର ଭାବେ କଠୋର ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ସ୍ୱେଚ୍ଛାକୃତଭାବେ ସଫେଇ ବା ପରିଚ୍ଛନ୍ନତା କାମ କରିବାକୁ ଏହା ଏକ ଆହ୍ୱାନ। ଏହା ଶପଥ ନେବା, ରଙ୍ଗୋଲି ପ୍ରତିଯୋଗିତା, ପ୍ଲଗ ରନ୍, ୱାଲ ପେଣ୍ଟିଂ ନୁକ୍କଡ ନାଟକ ମଧ୍ୟ ନୁହେଁ। ଦେଶର ସଫେଇ କାମ ପାଇଁ କେବଳ ନିରୋଳା ଶ୍ରମଦାନ କରିବାକୁ ଏହା ଉଦ୍ଦିଷ୍ଟ” ବୋଲି କେନ୍ଦ୍ର ଆବାସ, ସହରାଞ୍ଚଳ ବିକାଶ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୫ତମ “ମନ୍ କି ବାତ୍” ଅଧ୍ୟାୟରେ ଏକ ତାରିଖରେ ଏକ ଘଣ୍ଟା ପାଇଁ ମିଳିତଭାବେ ସଫେଇ ନିମନ୍ତେ ଶ୍ରମ ଦାନ କରିବାକୁ ଆହ୍ୱାନ ଜଣାଇଥିଲେ। ଆସନ୍ତା ଅକ୍ଟୋବର ଏକ ତାରିଖରେ ଦେଶର ସବୁ ଲୋକ ନିର୍ଦ୍ଧାରିତ ସମୟରେ ମିଳିତଭାବେ ଏକଘଣ୍ଟା ସଫେଇ ପାଇଁ ଶ୍ରମଦାନ କରିବାକୁ ସେ ଅନୁରୋଧ କରିଥିଲେ। ଅକ୍ଟୋବର ଦୁଇ ତାରିଖ ବାପୁଙ୍କ ଜୟନ୍ତୀ। ତାହାର ଅବ୍ୟବହିତ ପୂର୍ବରୁ ସମ୍ମିଳିତ ସ୍ୱେଚ୍ଛାକୃତ ଶ୍ରମଦାନ କରି ବାପୁଜୀଙ୍କ ପ୍ରତି ସ୍ୱଚ୍ଛାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ “ମନ କି ବାତ୍’ରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଦେଶର ବିଭିନ୍ନ ବର୍ଗର ଲୋକ ଏକାଠି ହୋଇ ବଜାର, ରେଳପଥ, ଜଳାଶୟ, ପର୍ଯ୍ୟଟନସ୍ଥଳ, ଉପାସନା ପୀଠ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥଳରେ ପ୍ରକୃତ ସଫେଇ କାମ କରିବାକୁ ଏହି ବୃହତ ସ୍ୱଚ୍ଛତା ଅଭିଯାନ ଉଦ୍ଦିଷ୍ଟ।
‘ସ୍ୱଚ୍ଛତା ହିଁ ସେବା’ ସମ୍ପର୍କରେ ଆଜି ଗଣମାଧ୍ୟମ ସହିତ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ଦେଶର ଉଭୟ ସହର ଓ ଗ୍ରାମାଞ୍ଚଳରେ ୬.୪ ଲକ୍ଷ ସ୍ଥାନକୁ ସାମୁହିକ ଶ୍ରମଦାନ ପାଇଁ ପୋଷ୍ୟଭାବେ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରେଳପଥ, ରେଳଷ୍ଟେସନ, ବିମାନବନ୍ଦର, ମାର୍କେଟସ୍ଥଳ, ଜାତୀୟ ଓ ରାଜ୍ୟ ରାଜପଥ, ଜଳାଶୟ, ନଦୀ, ଗାଧୁଆ ତୁଠ, ବସ୍ତି, ଗଳାପୋଲ, ସାହିବସ୍ତିର ଗଳି, ପର୍ଯ୍ୟଟନ ସ୍ଥଳୀ, ଉପାସନା ପୀଠ, ବସ୍ଷ୍ଟାଣ୍ଡ, ଟୋଲ ପ୍ଲାଜା, ଚିଡିଆଖାନା, ଗୋଶାଳା, ବଣ୍ୟପ୍ରାଣୀ ରହୁଥିବା ସ୍ଥାନ, ସମୁଦ୍ରକୂଳ, ବେଳାଭୂମି, ବନ୍ଦର, ଆବାସିକ ଅଞ୍ଚଳ, ଅଙ୍ଗନବାଡି, ସ୍କୁଲ ଓ କଲେଜ ଏବଂ ଏହାର ଚତୁପାଶ୍ୱର୍କୁ ଅଳିଆ ଆବର୍ଜନାରୁ ମୁକ୍ତ କରାଯିବ।
ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ପୌରସଂସ୍ଥା, ସହର, ଗ୍ରାମପଞ୍ଚାୟତ, ମନ୍ତ୍ରଣାଳୟ, ମନ୍ତ୍ରିମଣ୍ଡଳ ଆଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଅକ୍ଟୋବର ୧ତାରିଖରେ ଲୋକେ ଏକାଠି ହୋଇ ସେହିଦିନ ପୂର୍ବାହ୍ନ ୧୦ଘଟିକା ସମୟରେ ମିଳିତ ଶ୍ରମଦାନ ମାଧ୍ୟମରେ ଏସବୁ ସଫେଇ କାମ କରିବେ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସ୍ୱଚ୍ଛତା ହିଁ ସେବା-ସିଟିଜେନ ପୋର୍ଟାଲ https://swachhatahiseva.com/.ରେ ସବିଶେଷ ସୂଚନା ଉପଲବ୍ଧ। ଏହି ପୋର୍ଟାଲକୁ ଦେଖି ନାଗରିକ ନିକଟବର୍ତ୍ତୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ସେମାନେ ମଧ୍ୟ ଶ୍ରମଦାନକାଳୀନ ଫଟୋ ଉଠାଇ ପୋର୍ଟାଲରେ ଅପ୍ଲୋଡ କରି ସ୍ୱଚ୍ଛତାଦୂତ ଭାବେ କାମ କରିପାରିବେ। ମନ୍ତ୍ରୀ ଶ୍ରୀ ପୁରୀ ଗଣମାଧ୍ୟମକୁ ଆହୁରି କହିଛନ୍ତି ଯେ ଅନେକ ଆବାସିକ କଲ୍ୟାଣ ସଂଘ ଅକ୍ଟୋବର ପହିଲାରେ ସ୍ୱେଚ୍ଛାକୃତ ଶ୍ରମଦାନ କରିବାକୁ ନିଜ ନିଜର ସମ୍ମତି ଜଣାଇଛନ୍ତି। ସେମାନଙ୍କର ସଂଖ୍ୟା ପ୍ରାୟ ଏକ ଲକ୍ଷ।
ସେହିଭଳି ଗ୍ରାମାଞ୍ଚଳରେ ଲୋକମାନେ ୩୫ହଜାର ଅଙ୍ଗନବାଡି କେନ୍ଦ୍ରକୁ ସ୍ୱଚ୍ଛତା କ୍ଷେତ୍ରରେ ପୋଷ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହା ବ୍ୟତୀତ ଏନ୍ଜିଓ, ବ୍ୟବସାୟୀ ଓ ବଜାର ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ବାଣିଜ୍ୟିକ ସଂଘ, ଘରୋଇ କ୍ଷେତ୍ର ସେଦିନ ୨୨ହଜାର ବଜାର, ୧୦ହଜାର ଜଳାଶୟ, ପ୍ରାୟ୭୦୦୦ ବସ୍ଷ୍ଟାଣ୍ଡ/ ଟେଲ ପ୍ଲାଜା, ପ୍ରାୟ ୧୦୦୦ ଗୋଶାଳା, ପାଖାପାଖି ୩୦୦ ପ୍ରାଣୀ ଉଦ୍ୟାନ ଓ ଅନ୍ୟାନ୍ୟ ସ୍ଥାନରେ ମିଳିତ ସଫେଇ ପାଇଁ ଶ୍ରମଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଫଳରେ ଅକ୍ଟୋବର ପହିଲାରେ ଦେଶର ଉଭୟ ସହରାଞ୍ଚଳରେ ଏକ ବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯିବ।
ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ତିନିବାହିନୀର ଯବାନମାନେ ବେସାମରିକ ଲୋକଙ୍କ ସହିତ ମିଶି ସଫେଇ ଅଭିଯାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। ସେମାନେ ରେଳପଥ, ଷ୍ଟେସନ, ଐତିହ୍ୟ ଭବନ, ଦୁର୍ଗ, ପାହାଚଯୁକ୍ତ କୂଅ, ଜାତୀୟ ରାଜପଥର ବିିଭିନ୍ନ ଅଂଶ ଯାହା ଅପରିଷ୍କାର ପ୍ରବଣ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରି ତାହାର ସଫାସୁତୁରା ଦାୟିତ୍ୱ ବୁଝିବେ। ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଓ ଅନ୍ୟାନ୍ୟ ସ୍ଥାନୀୟ କମିଟି ତଥା ସଂଗଠନ ମଧ୍ୟ ଏହି ସଫେଇ ଅଭିଯାନରେ ସାମିଲ ହେବାକୁସମ୍ମତି ପ୍ରଦାନ କରିଛନ୍ତି। ସୁଦର୍ଶନ ପଟ୍ଟନାୟକ ଓ ଆଫରୋଜ ଶାହାଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ନେତୃତ୍ୱରେ ବେଳାଭୂମି ଅଞ୍ଚଳରେ ସଫେଇ କାମ କରାଯିବ। ଅକ୍ଟୋବର ପହିଲାରେ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟଗୁଡିକରେ ସଫେଇ କାମ କରିବାକୁ ସୁଲଭ ଇଣ୍ଟର ନେଶନାଲ ସମ୍ମତି ପ୍ରଦାନ କରିଛି।
ମନ୍ତ୍ରୀ ହରଦୀପ ସିଂହ ପୁରୀ ଆହୁରି କହିଛନ୍ତି ଯେ ଦେଶର ସଂଗ୍ରହାଳୟ, କୀର୍ତ୍ତିରାଜି ଓ ଦୁର୍ଗଗୁଡିକରେ ପରିଚ୍ଛନ୍ନତା ପାଇଁ ଅନେକ ସଂଗଠନ ଆଗେଇ ଆସିଛନ୍ତି। ସ୍କୁଲ ଓ କଲେଜରେ ସ୍ୱଚ୍ଛତା ଅଭିଯାନ ପାଇଁ ସେଦିନ ମାତା ଅମୃତାନନ୍ଦମୟୀଙ୍କ ଆମ୍ମା ଫାଉଣ୍ଡେସନ ସ୍ୱେଚ୍ଛାକୃତ ଶ୍ରମଦାନ କରିବ। ପ୍ରଦୀପ ସଙ୍ଗୱାନଙ୍କ ହିଲିଂ ହିମାଳୟଜ୍ ସଂସ୍ଥା ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ସଫେଇରେ ଭାଗ ନେବ। ସେହିଭଳି ଇସକାନ ଓ ରାମକୃଷ୍ଣ ମଠ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜର ମଠ, ମନ୍ଦିର ଓ ଅନ୍ୟାନ୍ୟ ଦେବସ୍ଥାନରେ ସଫେଇ କରିବେ। ଏହି ଦୁଇ ସଂସ୍ଥା କେତେକ ଧର୍ମପୀଠର ସ୍ଥାୟୀ ସଫେଇ ଦାୟିତ୍ୱ ହାତକୁ ନେବ। ଏହା ବ୍ୟତୀତ ଫିକି. ସିଆଇଆଇ, କ୍ରେଡାଇ, ଶ୍ରୀ ସତ୍ୟସାଇ ଲୋକସେବା,ଲାୟନ୍ସ କ୍ଲବ, ରୋଟାରୀ କ୍ଲବ, ୟୁନିସେଫ, ଆଗା ଖାଁ ଫାଉଣ୍ଡେସନ ଆଦି ସଂସ୍ଥା ଅକ୍ଟୋବର ପହିଲା ସଫେଇ ଶ୍ରମଦାନରେ ସାମିଲ ହେଉଛନ୍ତି।
ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଏକ ଲକ୍ଷ ସ୍ଥାନର ସଫେଇ ଦାୟିତ୍ୱ ହାତକୁ ନେଇଛି। ମହାରାଷ୍ଟ୍ର ସରକାର ୬୨ହଜାର, ମଧ୍ୟପ୍ରଦେଶ ୫୭ହଜାର, ଆନ୍ଧ୍ରପ୍ରଦେଶ ୪୦ହଜାର, ଗୁଜରାଟ ୩୫ହଜାର ସ୍ଥାନକୁ ସଫେଇ ପାଇଁ ଗ୍ରହଣ କରିଥିବା ଜଣାପଡିଛି। ଏହି ବୃହତ୍ ସ୍ୱଚ୍ଛତା ଅଭିଯାନରେ କେନ୍ଦ୍ରର କ୍ୟାବିନେଟ ମନ୍ତ୍ରୀଗଣ, ସାଂସଦ, ଅନେକ ମୁଖ୍ୟମନ୍ତ୍ରୀ, ମେୟର, ସହରାଞ୍ଚଳ ପରିଷଦ ଓ ରାଜନୀତିକ ନେତା ସାମିଲ ହେଉଛନ୍ତି।
ନୂଆଦିଲ୍ଲୀରେ ଏହି ସଫେଇ କାମ ଏନ୍ଏମ୍ଡିସି, ଆର୍ଟ ଅଫ ଲିଭିଂ ସଂସ୍ଥା ଓ ଚିନ୍ତନ ସଂସ୍ଥା କରିବେ । ସେମାନେ ରାଜଧାନୀର ବସ୍ତି ଅଞ୍ଚଳ ସମେତ ୫୦୦ସ୍ଥାନକୁ ସଫେଇ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିବେ।
୨୦୧୪ରେ, ନ’ବର୍ଷ ତଳେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ସମ୍ପର୍କରେ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନରେ ଅନୁପ୍ରାଣିତ ହୋଇ ପ୍ରଚଣ୍ଡ ଆଗ୍ରହ ଦେଖାଇ ସ୍ୱଚ୍ଛ ଭାରତକୁ ସଫଳ କରିଥିଲେ। ଏହା ଫଳରେ ସ୍ୱଚ୍ଛତା ଏକ ଜାତୀୟ ଚରିତ୍ର ଓ ସ୍ୱଚ୍ଛ ଭାରତ ମିଶନ ଏକ ପରିଚିତ ନାମରେ ପରିଣତ ହୋଇଥିଲା। ସେ କହିଛନ୍ତି ଯେ ଏବେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ “ଏକ ତାରିଖ, ଏକ ଘଣ୍ଟା ,ଏକ ସାଥ୍”ର ଯେଉଁ ଆହ୍ୱାନ ଦେଇଛନ୍ତି ତାହା ସଫେଇ ବା ସ୍ୱଚ୍ଛତା କ୍ଷେତ୍ରରେ ଦେଶର ନାଗରିକମାନଙ୍କୁ ସ୍ୱେଚ୍ଛାକୃତ ଶ୍ରମଦାନ ପାଇଁ ଅଦ୍ୱିତୀୟ ସୁଯୋଗ ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଏକ ସ୍ୱଚ୍ଛତର ଭାରତ ଗଠନରେ ବିଶ୍ୱରେ ସ୍ୱେଚ୍ଛାକୃତ ଶ୍ରମଦାନର ସର୍ବବୃହତ୍ ଉଦ୍ୟମ ହୋଇପାରେ।
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ୱଚ୍ଛତା ପଖୱାଡା- ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୩ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ ପକ୍ଷରୁ ଆୟୋଜିତ ହେଉଛି, ଏଥିରେ ଅନ୍ୟାନ୍ୟ ମନ୍ତ୍ରଣାଳୟ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି। ଏହି ପଖୱାଡା ବା ସପ୍ତାହ ସେପ୍ଟେମ୍ବର ୧୫ରେ ପଂଚା
ତ ରାଜ ଓ ଗ୍ରାମ ଉନ୍ନ୍ୟନ ମନ୍ତ୍ରୀ ଗିରିରାଜ ସିଂହ, ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ସହରାଞ୍ଚଳ ଓ ଆବାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ମିଳିତ ଭାବେ ଉଦ୍ଘାଟିତ ହୋଇଥିଲା। ଆଭାସୀ ବ୍ୟବସ୍ଥାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବୁ ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଅନ୍ୟାନ୍ୟ ଅଧିକାରୀମାନେ ଭାଗ ନେଇଥିଲେ।
୨୦୨୩ ସ୍ୱଚ୍ଛତା ପଖୱାଡାର ବିଷୟବସ୍ତୁ (ଥିମ୍) ହେଲା “ଆବର୍ଜନା ମୁକ୍ତ ଭାରତ ।” ଏହି ପଖୱାଡାରେ ଏଯାଏ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶର ୩୧କୋଟିରୁ ଅଧିକ ଲୋକ ସାମିଲ ହୋଇସାରିଲେଣି। ଏହା ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଲୋକେ ବିଭିନ୍ନ ସଫେଇ କାର୍ଯର୍୍ୟକ୍ରମରେ ସାମିଲ ହେବା ସହିତ ସ୍ୱଚ୍ଛ ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି। ଏଥିରେ ର୍ୟାଲି, ନୁକ୍କଡ, ରଙ୍ଗୋଲି ପ୍ରତିଯୋଗିତା, ୱାର୍ଲ ଆର୍ଟ୍ସ, ବେଳାଭୂମି ସଫେଇ, ପର୍ଯ୍ୟଟନସ୍ଥଳର ପରିଷ୍କରଣ, ଜଳାଶୟ ସଫେଇ ଆଦି କାର୍ଯ୍ୟ କରାଯାଉଛି। ଏହି ସପ୍ତାହ ମଧ୍ୟରେ ଦେଶର ୫୦୦୦ ସର୍ବସାଧାରଣ ସ୍ଥଳ, ୧୦୦୦ ଅଳିଆ ପ୍ରବଣ ସ୍ଥାନ, ୫୦୦ରୁ ଅଧିକ ବେଳାଭୂମି, ୬୦୦ ଜଳାଶ୍ରୟ, ୩୦୦ରୁ ଅଧିକ ପର୍ଯ୍ୟଟନସ୍ଥଳୀକୁ ସଫା କରାଯାଇସାରିଲାଣି।