କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

Published: Sep 30, 2023, 10:08 pm IST

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍ସାହର ସହିତ ଏଥିରେ ଭାଗ ନେଇ ସ୍କୁଲ ପରିସର ସଫେଇ କରିଥିଲେ।

ଅନ୍ୟପଟେ କେନ୍ଦୁଝର ସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲାର ରଘୁନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ସ୍କୁଲ ହତା ସଫା କରିବା ସହିତ ସ୍ୱଚ୍ଛତା ପାଇଁ ଶପଥ ପାଠ କରିଥିଲେ।

ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସ୍ୱଚ୍ଛତା ପାଇଁ ସାମୂହିକ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୧ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଛାତ୍ରଛାତ୍ରୀ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଆଖପାଖ ପରିବେଶକୁ ସଫା କରିବା ସହିତ ସ୍ୱଚ୍ଛତା ପାଇଁ ସାମୂହିକ ଶପଥ ପାଠ କରିଛନ୍ତି।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

Related posts