ସଞ୍ଜୟ ସିଂଙ୍କୁ ଗିରଫ ପରେ ବଢିଲା ବିବାଦ: କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା କଂଗ୍ରେସ

Published: Oct 4, 2023, 7:39 pm IST

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି। ଚଢାଉ ପରେ ଇଡି ତାଙ୍କୁ ଗିରଫ କରିଛି। ଆଜି ସକାଳ ୭ ଟାରୁ ସଞ୍ଜୟ ସିଂଙ୍କ ବାସଭବନରେ ଇଡି ଚଢାଉ କରିଥିଲା। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ବିଜେପିକୁ ଆକ୍ରମଣ କରାଯାଇଛି। ୟୁପି କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି ଯେ, ଯାହା ଘଟିଛି ତାହା ଭୁଲ ଅଟେ। କଂଗ୍ରେସ ଦଳ ଏଏପି ନେତାଙ୍କ ଗିରଫଦାରୀକୁ ନିନ୍ଦା କରିଛି। ଭୁଲ ଉଦ୍ଦେଶ୍ୟରେ AAP ନେତାଙ୍କୁ ଗିରଫ କରାଯାଇଛି ବୋଲି କଂଗ୍ରେସ କହିଛି।

ଏହି ମାମଲାରେ ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ସଞ୍ଜୟ ସିଂଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି ବିରୋଧ କରିଛି। ଦଳ ଏହି କାର୍ଯ୍ୟକୁ ପ୍ରତିଶୋଧର ଭାବନା ବୋଲି କହିଛି। ଦେଶରେ ଅଘୋଷିତ ଏକଛତ୍ରବାଦୀ ଶାସନ ଲାଗୁ କରିବାକୁ ଚେଷ୍ଟା କରାଯାଇଛି। ଦଳ ଏହି ପ୍ରକାରର ଏକଛତ୍ରବାଦୀ ଶାସନକୁ ବିରୋଧ କରୁଛି। ଦିଲ୍ଲୀର ସଞ୍ଜୟ ସିଂଙ୍କ ବାସଭବନ ବାହାରେ ବହୁ ସଂଖ୍ୟାରେ ପାର୍ଟୀ କର୍ମଚାରୀ ଏକାଠି ହୋଇଛନ୍ତି। ପ୍ରାୟ ଦଶ ଘଣ୍ଟାର ଚଢାଉ ପରେ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଛି। ସରକାରୀ ସାକ୍ଷୀ ହୋଇଥିବା ଦୀନେଶ ଆରୋରାଙ୍କ ବିବୃତ୍ତି ସଞ୍ଜୟ ସିଂଙ୍କ ଗିରଫ ହେବାର କାରଣ ପାଲଟିଛି। ଦୀନେଶ ଆରୋରା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସଞ୍ଜୟ ସିଂ ତାଙ୍କୁ ମନୀଷ ସିସୋଦିଆଙ୍କ ସହ ଭେଟ କରିଛନ୍ତି।

Related posts