ତୃତୀୟ ସ୍ଥାନରେ ପହଂଚିଲା ଭାରତ; ଦେଶରେ ୫ଜି ନେଟ୍‌ୱର୍କରେ ଜିଓର ଭାଗ ୮୫%: ଆକାଶ ଅମ୍ବାନି

Published: Oct 29, 2023, 10:50 am IST

ଭୁବନେଶ୍ୱର: ଦେଶରେ ଗୋଟିଏ ବର୍ଷ ପୂର୍ବରୁ ୫ଜିର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅଳ୍ପ ସମୟ ଭିତରେ ରିଲାଏନ୍ସ ଜିଓ ମାଧ୍ୟମରେ ୫ଜି ମାମଲାରେ ସାରା ଦୁନିଆରେ ଭାରତ ତୃତୀୟ ସ୍ଥାନରେ ପହଂଚିପାରିଛି। ପ୍ରତି ସେକେଣ୍ଡ୍‌ରେ ଗୋଟିଏ ଲେଖାଏଁ ହାରରେ ବର୍ଷକ ଭିତରେ ରିଲାଏନ୍ସ ଜିଓ ସାରା ଦେଶରେ ୧୦ ଲକ୍ଷ ପାଖାପାଖି ୫ଜି ସେଲ୍ ସ୍ଥାପନ କରିଛି। ଦେଶର ମୋଟ ୫ଜି ନେଟ୍‌ୱର୍କର ୮୫ ପ୍ରତିଶତ ରିଲାଏନ୍ସ ଜିଓ ସ୍ଥାପନ କରିଛି। ଇଣ୍ଡିଆ ମୋବାଇଲ କଂଗ୍ରେସକୁ ସମ୍ବୋଧିତ କରି ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ବିଷୟରେ ଆଲୋଚନା କରି ଆକାଶ ଅମ୍ବାନି କହିଛନ୍ତି ଯେ, “ଭାରତକୁ ହାଇଟେକ୍ ମାଧ୍ୟମରେ ଆତ୍ମନିର୍ଭର କରିବାକୁ ଆପଣ ଆମକୁ କହିଥିଲେ। ଆମେ ସେହି ଉପରେ କାମ କରିଛୁ। ଜିଓର ୧୦୦ ପ୍ରତିଶତ ୫ଜି ନେଟୱର୍କ ନିଜସ୍ୱ ୫ଜି ଷ୍ଟାକ୍‌ରେ କାର୍ଯ୍ୟ କରୁଛି ଯାହାକୁ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପ୍ରତିଭାବାନ ଲୋକମାନେ ପ୍ରସ୍ତୁତ ଓ ବିକଶିତ କରିଛନ୍ତି। ୧୨ କୋଟିରୁ ଅଧିକ ୫ଜି ଗ୍ରାହକଙ୍କ ସହିତ ବର୍ତମାନ ୫ଜି କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନି ଦେଶ ମଧ୍ୟରୁ ଅନ୍ୟତମ ଦେଶ ହୋଇପାରିଛି।’’

ଦୁନିଆର ସବୁଠୁ ଉଚ୍ଚ ଷ୍ଟାଚ୍ୟୁ ଅଫ୍ ୟୁନିଟି ବିଷୟରେ ଆଲୋଚନା କରି ଆକାଶ ଅମ୍ବାନି କହିଛନ୍ତି ଯେ, “ଔଦ୍ୟୋଗିକ ଶକ୍ତି ଜରିଆରେ ଆମେ ଏକ ଡିଜିଟାଲ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ସ୍ଥାପନ କରିବୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଉଛୁ। ଯାହା ଭାରତକୁ ଔଦ୍ୟୋଗିକ ଓ ସଂଯୋଗର ଶକ୍ତିରେ ସବୁଠୁ ସମୃଦ୍ଧ, ବୈଷୟିକ ଦୃଷ୍ଟିରୁ ଉନ୍ନତ, ଅନ୍ତର୍ଭୁକ୍ତ ଓ ସାମଞ୍ଜସ୍ୟପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିବା ସ୍ୱପ୍ନକୁ ସାକାର କରିବ। ଆଇଏମ୍‌ସିରେ ସମସ୍ତ ଯୁବ ଡିଜିଟାଲ ଉଦ୍ୟୋଗୀ, ଯୁବ ଡିଜିଟାଲ ନବସୃଜନକାରୀ ଓ ଯୁବ ଡିଜିଟାଲ ଷ୍ଟାର୍ଟଅପ୍‌ମାନଙ୍କ ତରଫରୁ ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଆମେ ଭାରତର ଅମୃତ କାଳରେ ଏହି ସ୍ୱପ୍ନ ସାକାର କରିବା ଲାଗି ଜୋରଦାର ପ୍ରୟାସ କରିବୁ।’’

Related posts