ଅଭିନଵ ଉପାୟରେ ଠକେଇ କରି ବାଣପୁର ପୋଲିସ ହାତରେ ବନ୍ଧା ହେଲେ ଅଭିଯୁକ୍ତ

Published: Oct 30, 2023, 8:14 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ ଯୁବକଙ୍କ ଅଳଙ୍କାର ଠକେଇ ଉପାୟ ସାଧାରଣରେ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ ବାଣପୁର ଥାନା ଅଧିନସ୍ଥ ମଙ୍ଗରାଜପୁର ଛକଠାରେ ଘର କରି ରହିଥିବା ମୁନା ରାଉତ (୪୦) ବାଣପୁର ଅଞ୍ଚଳର ବୁଢାବୁଢ଼ୀ ମାନଙ୍କୁ ନଜରରେ ରଖି ସେମାନଙ୍କୁ ମିଠା କଥା କହି ପିନ୍ଧିଥିବା ସୁନା ଅଳଙ୍କାର ହରଣଚାଲ କରୁଥିଲା।

ଗତକାଲି ସାରୁବାରୀ ପଦର ଗ୍ରାମର କବିରାଜ ସ୍ୱାଇଁ ନାମକ ଜଣେ ବୃଦ୍ଧ ଏକ ମଙ୍ଗଳ ସୂତ୍ର ଗୁନ୍ଥିବା ନିମନ୍ତେ ବାଣପୁର ଆସୁଥିବା ବେଳେ ଅଭିଯୁକ୍ତ ମୁନା ତାଙ୍କୁ ମିଛ ପରିଚୟ ଦେଇ ମୋର ଚିହ୍ନାପରିଚୟ ଅଛି କହି ନିଜର ମୋଟର ସାଇକେଲରେ ବସାଇ ବଜାରକୁ ନେଇଯାଇଥିଲା। ପରେ ସୁନା ଦୋକାନ ପାଖରେ ବୃଦ୍ଧ ଜଣଙ୍କୁ ଛାଡ଼ିଦେଇ ମଙ୍ଗଳସୂତ୍ର ଧରି ଚମ୍ପଟ ମାରିଥିଲା।

କବିରାଜ ଉକ୍ତ ଘଟଣାକୁ ନେଇ ଥାନାର ଦ୍ୱାରସ୍ତ ହୋଇଥିଲେ। ଥାନା ଅଧିକାରୀ ରମେଶ କୁମାର ଦେବତା ବିଭିନ୍ନ ସିସିଟିଭିକୁ ଦେଖି ଏବଂ ବିଭିନ୍ନ ଲୋକଙ୍କୁ ପଚାରି ଅଭିଯୁକ୍ତକୁ ଚିହ୍ନିବାରେ ସଫଳ ହୋଇଥିଲେ। ଆଜି ସକାଳେ ଅଭିଯୁକ୍ତକୁ ଘରୁ ପୋଲିସ ଉଠାଇ ନେଇଥିଲା। ପଚରା ଉଚରା ପରେ ଅଭିଯୁକ୍ତ ନିଜ ଘରେ ଜୋତା ଭିତରେ ଲୁଚାଇ ରଖିଥିବା ମଙ୍ଗଳ ସୂତ୍ରକୁ ଉଦ୍ଧାର କରିଛି ପୋଲିସ।

ଅନୁରୂପ ଭାବେ ଅଭିଯୁକ୍ତ ମୁନା ମାଟିଆପୋଖରୀ ଗ୍ରାମର ତିଳୋତ୍ତମା ପ୍ରଧାନ ନାମ୍ନୀ ଜଣେ ବୃଦ୍ଧା ବ୍ୟାଙ୍କରୁ ବାର୍ଦ୍ଧକ୍ୟ ଭତ୍ତା ଧରି ଫେରୁଥିବା ବେଳେ ପେଟ୍ରୋଲ ଟାଙ୍କି ନିକଟରେ ବୃଦ୍ଧାଙ୍କୁ ଅଟକାଇ ଆଇ ବୋଲି ଡାକି ଏବଂ ମଇଳା କାନଫୁଲ କଣ ପିନ୍ଧିଛୁ ବୋଲି କହି ସଫା କରିବା ବାହାନାରେ ଜୋରକରି କାନଫୁଲ ଧରି ଚମ୍ପଟ ମାରିଥିଲା। ପୋଲିସ ପଚାରିବାରେ ଉକ୍ତ କାନଫୁଲ ଅଭିଯୁକ୍ତ ମୁନା ଗ୍ରାମର ଜନୈକ ବ୍ୟକ୍ତି ପାଖରେ ବନ୍ଧା ପକାଇଥିବା ସ୍ୱୀକାର କରିଥିଲା। ଉକ୍ତ କାନଫୁଲକୁ ବନ୍ଧା ପକାଇଥିବା ବ୍ୟକ୍ତିଙ୍କ ନିକଟରୁ ମଧ୍ୟ ଥାନାଧିକାରୀ ଶ୍ରୀ ଦେବତା ଉଦ୍ଧାର କରିଥିବା ଜଣାଯାଇଛି।

ଅଭିଯୁକ୍ତ ମୁନାକୁ ପୋଲିସ ଅଟକ ରଖି ଅନ୍ୟ କୌଣସି କେଳେଙ୍କାରୀରେ ସମ୍ପୃକ୍ତ ଅଛିକି ନାହିଁ ତଦନ୍ତ କରୁଛି।

Related posts