ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ, ଜାଣନ୍ତୁ କାରଣ

Published: Oct 30, 2023, 8:38 pm IST

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପଦ୍ମକେଶରୀପୁର ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଭୁବନେଶ୍ୱର ପୋଲିସ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଂଚେଶ୍ୱର ଥାନା ଅଧିନରେ ଥିବା ଇଂଜଣା ଗ୍ରାମ ପଂଚାୟତର ପଦ୍ମକେଶରୀପୁର ଗ୍ରାମରେ ଗତ ପଂଚାୟତ ନିର୍ବାଚନ ପରବର୍ତୀ ସମୟରେ ଘଟିଥିବା ହିଂସାର ସମାଧାନ ହୋଇନଥିଲା। କ୍ରମେ କ୍ରମେ ଏହି ହିଂସା ଲାଗିରହି ଆଜି ଗୋଷ୍ଠି ସଂଘର୍ଷରେ ପରିଣତ ହୋଇଛି।

ଗତ ପ୍ରାୟ ଏକମାସ ତଳେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିଲା। ତତ୍‌କାଳୀନ ଥାନା ଅଧିକାରୀ କିଛି ବ୍ୟକ୍ତିଙ୍କୁ ଗିରଫକରି ଜେଲ ହାଜତକୁ ପଠାଇଥିଲେ। ଏହି ଦଶହରା ସମୟରେ ଗିରଫ ହୋଇଥିବା ବ୍ୟକ୍ତିମାନେ ଜାମିନରେ ଆସିବାପରେ ପୁନ୍ନର୍ବାର ବଡ଼ଧରଣର ଗୋଷ୍ଠି ସଂଘର୍ଷ ଘଟିଛି। ବୋମା ମାଡ଼, ଟେକାପଥର ମାଡ଼, ରକ୍ତାକ୍ତ ସଂଘର୍ଷ ହୋଇଛି। ପୋଲିସ ପ୍ରାୟ ୭୭ ଜଣଙ୍କୁ ଗିରଫ କରି ଜେଲକୁ ପଠାଇଛି। ଏହାଦ୍ୱାରା ଏହି ଗ୍ରାମ ପୋଲିସ ଗିରଫଦାରୀ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼ିଛି।

ଏକ ମାସ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଏହାର ଏକ ଆପୋସ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପୋଲିସ କିମ୍ବା ପ୍ରଶାସନ ତରଫରୁ କୌଣସି ଉଦ୍ୟମ କରାଯାଇ ନାହିଁ। ଯାହାଫଳରେ ଏ ଘଟଣାର ପୁନରାବୃତି ଘଟୁଛି। ଏଭଳି ହିଂସାଦ୍ୱାରା ଗ୍ରାମର ମହିଳା ଓ ଶିଶୁମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। କେବଳ ଗିରଫଦାରୀ ଏହାର ଏକ ସ୍ଥାୟୀ ସମାଧାନ ଆଦୌ ନୁହେଁ। ସେଥିପାଇଁ ଏକ ଶାନ୍ତି କମିଟ ଗଠନ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ଅକ୍ଷୟ ଦାସ, ବ୍ଲକ ସଭାପତି ମନୋରଞ୍ଜନ ଜେନା, ବ୍ରହ୍ମାନନ୍ଦ ସାହୁ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଶ୍ରୀୟା ସ୍ମିତା ପଣ୍ଡା, ଜିଲ୍ଲା ଓବିସିସି ସେଲର ମୁଖ୍ୟ ପ୍ରସନ୍ନ ନାୟକ, ଦେବାଶିଷ ଦାସ, ସୁବାସ ସାହୁ ଓ ସଂଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts