ଜାତୀୟ ପ୍ରେସ୍ ଦିବସରେ ରାଜ୍ୟପାଳ କହିଲେ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଆବଶ୍ୟକ

Published: Nov 17, 2023, 8:10 am IST

ଭୁବନେଶ୍ୱର: ଗଣମାଧ୍ୟମର ଏକ ସମୃଦ୍ଧ ଐତିହ୍ୟ ଓ ପରଂପରା ରହିଛି । ଗଣମାଧ୍ୟମ ସବୁବେଳେ ଅଗ୍ରଣୀ ଭୂମିକା ନେବା ସହ ସମୟ ଓ ସମାଜକୁ ଉଚିତ୍ ମାର୍ଗଦର୍ଶନ କରାଇବା ସହ ସକାରାତ୍ମକ ସହଯୋଗ କରିଆସିଛି । ଗଣମାଧ୍ୟମ ସାଧାରଣ ଲୋକମାନଙ୍କ ସ୍ୱପ୍ନ, ଅଭିଳାଷ, ଆକାଂକ୍ଷା ଓ ସ୍ୱରର ଧାରକ ଓ ବାହକ ହୋଇପାରିଛି ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି ।

ଆଜି ଜୟଦେବ ଭବନରେ ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ ଏକ ସଶକ୍ତ ଓ କ୍ରିୟାଶୀଳ ଗଣତନ୍ତ୍ର ପାଇଁ ମୁକ୍ତ ଓ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଜରୁରୀ । ଏହା ଶାସନ ବ୍ୟବସ୍ଥା ଓ ଲୋକମାନଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରେ । ଏହା ଯେତେ ସହଜ, ସୁଗମ ଓ ସକ୍ରିୟ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ସନତ୍ ମିଶ୍ର ଜାତୀୟ ପ୍ରେସ୍ ଦିବସର ଆଭିମୁଖ୍ୟ ଓ ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ବରିଷ୍ଠ ସାଂବାଦିକ ନିରଂଜନ ରଥଙ୍କୁ ଉତ୍କଳ ସାଂବାଦିକ ରତ୍ନ ସମ୍ମାନ ଓ କେତେକ ରାଜ୍ୟ ବାହାର ସାମ୍ବାଦିକଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଦିବଂଗତ ସାଂବାଦିକ ରବି ନାରାୟଣ ମହାନ୍ତି, ଗୋପାଳ ମିଶ୍ର, ବରେନ୍ଦ୍ରକୃଷ୍ଣ ଧଳ, ଦିଲ୍ଲୀପ ଶତପଥି, ରାମହରି ମିଶ୍ର, ପ୍ରଦ୍ୟୁମ୍ନ ବଳ ଓ ଅରିଂଦମ୍ ଦାଶଙ୍କ ସ୍ମୃତିରେ ସାଂବାଦିକତା ଓ ଗଣଯୋଗାଯୋଗ ଶିକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଲ୍ ପ୍ରଦାନ କରାଯାଇଥିଲା । ବର୍ଷିଆନ ସାଂବାଦିକମାନଙ୍କୁ ପେନ୍‌ସନ ମଧ୍ୟ ପ୍ରଦାନ କରାଯାଇଥିଲା । ବୋର୍ଡର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts