ଗୁଜୁରାଟରେ ବିଶ୍ୱର ସର୍ବବୃହତ ସବୁଜ ଶକ୍ତି ପାର୍କ ନିର୍ମାଣ କରୁଛି ଆଦାନୀ ଗ୍ରୁପ୍, ଗୌତମ ଆଦାନୀ ସେୟାର କଲେ ଚିତ୍ର

Published: Dec 8, 2023, 12:58 pm IST

ଅହମ୍ମଦାବାଦ: ଗୁଜୁରାଟର ମରୁଭୂମି ଅଞ୍ଚଳରେ କଚ୍ଛର ରଣରେ ଆଦାନୀ ଗ୍ରୁପ୍ ବିଶ୍ୱର ସର୍ବବୃହତ ସବୁଜ ଶକ୍ତି ପାର୍କ ନିର୍ମାଣ କରିବାକୁ ଯାଉଛି। ଏହା ୭୨୬ ବର୍ଗ କିଲୋମିଟର ଉପରେ ବିସ୍ତାର ହେବ। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ X (ଟ୍ୱିଟର) ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଏହା ୨ କୋଟିରୁ ଅଧିକ ଘରକୁ ବିଦ୍ୟୁତ୍ ଶକ୍ତି ଯୋଗାଇବା ପାଇଁ ୩୦ ଗିଗାୱାଟ ଉତ୍ପାଦନ କରିବ।

ଗୌତମ ଆଦାନୀ ଲେଖିଛନ୍ତି ଯେ, “ଆମେ ବିଶ୍ଵର ସବୁଠୁ ବଡ ସବୁଜ ଶକ୍ତି ପାର୍କ ନିର୍ମାଣ କରିବାକୁ ଯାଉଛୁ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ପ୍ରଗତିରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଗର୍ବିତ। ରଣ ମରୁଭୂମିରେ ୭୨୬ ବର୍ଗ କିଲୋମିଟର ବ୍ୟାପିଥିବା ଏହି ପ୍ରକଳ୍ପ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ। ୨ କୋଟିରୁ ଅଧିକ ଘରକୁ ଶକ୍ତି ଯୋଗାଇବା ପାଇଁ ଆମେ ୩୦ ଗିଗାୱାଟ ଉତ୍ପାଦନ କରିବୁ ବୋଲି ସେ କହିଛନ୍ତି।

ସେ ଏହା ମଧ୍ୟ ଲେଖିଛନ୍ତି ଯେ, “ଏହା ବ୍ୟତୀତ, ଆମର କାର୍ଯ୍ୟକ୍ଷେତ୍ର ମୁନ୍ଦ୍ରା ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ, ଆମେ ସୌର ଏବଂ ପବନ ଶକ୍ତି ପାଇଁ ବିଶ୍ଵର ସବୁଠାରୁ ତୀବ୍ର ତଥା ସମନ୍ୱିତ ଅକ୍ଷୟ ଶକ୍ତି ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରୁଛୁ। ଏହା ଭାରତର ଏକ ମାଇଲଖୁଣ୍ଟ ହେବ। ସୋଲାର ଆଲାଇନ୍ସ ଏବଂ ଆତ୍ମନିର୍ଭରଶୀଳ ଭାରତ ପଦକ୍ଷେପ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଇବ।”

ଗୌତମ ଆଦାନୀ ଏହି ପୋଷ୍ଟ ସହିତ କିଛି ଚିତ୍ର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ପ୍ରକଳ୍ପର କାର୍ଯ୍ୟ ବହୁ ପରିମାଣରେ ଦେଖିବାକୁ ମିଳେ।

ଆଦାନୀ ଗ୍ରୁପର ଏହି ପ୍ରକଳ୍ପ ଭାରତର ସବୁଜ ଶକ୍ତି କ୍ଷମତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଏହା ବ୍ୟତୀତ ଏହା COP ରେ ଦିଆଯାଇଥିବା ଜଳବାୟୁ ପ୍ରତିଶ୍ରୁତି ପୂରଣ କରିବାରେ ମଧ୍ୟ ସହାୟକ ହେବ।

Related posts