ଏକ ଛୋଟିଆ ପକ୍ଷୀଟିକୁ ଦେଖି ଯମ ରାଜା କାହାଁକି ନାଲି ଆଖିରେ ଚାହିଁଲେ

Published: Dec 9, 2023, 8:54 am IST

ପୁରାଣ ଗପ: ଥରେ ଇନ୍ଦ୍ର ଦେବ ଏକ ସଭା କରିବା ପାଇଁ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ ପଠାଇଲେ। ସେହି ନମନ୍ତ୍ରଣ ପତ୍ର ପାଇବା ପରେ ନିର୍ଦ୍ଧାରିତ ସମୟରେ ସବୁ ଦେବତାମାନେ ଧିରେ ଧିରେ ଇନ୍ଦ୍ର ସଭାକୁ ଆଗମନ କଲେ।

ଇନ୍ଦ୍ରସଭାକୁ କେଉଁମାନେ ଆସୁଛନ୍ତି ତାହା ଦେଖିବା ପାଇଁ କାହିଁକି କେଜାଣି ଜଟାୟୁ ପକ୍ଷୀଙ୍କର ଇଚ୍ଛା ପ୍ରକଟ ହେଲା। ସେଥିପାଇଁ ସେ ଇନ୍ଦ୍ରସଭାର ଅଳ୍ପ ଦୂରରେ ଥିବା ଏକ ଗଛରେ ବସି ରହିଲେ। ଜଣଙ୍କ ପରେ ଜଣେ ଇନ୍ଦ୍ର ସଭାକୁ ଗମନ କରୁଥାନ୍ତି, ତାହା ସବୁ ନିରୀକ୍ଷଣ କରୁଥିଲେ ଜଟାୟୁ ପକ୍ଷୀ।

ଶେଷରେ ଆସିଲେ ଯମ ରାଜା ବା ଯମ ଦେବ। ସେ ମଧ୍ୟ ସେହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି। ଯମ ଦେବ ତାଙ୍କ ମଇଁଷି ପିଠିରୁ ଓହ୍ଲାଇ ସଭା ଆଡକୁ ଗତି କଲେ। ହେଲ ହଠାତ ସେ ଏକ ଛୋଟିଆ ପକ୍ଷୀକୁ ଦେଖି ଅଟକିଗଲେ। କାହିଁକି ଅଟକିଲେ ବୋଲି ଜଟାୟୁ ଆଶ୍ଚର୍ଯ୍ୟ ହୋଇଗଲେ।

ଜଟାୟୁ ନିରୀକ୍ଷଣ କରି ଦେଖିଲେ ଯେ, ଯମଦେବ ସେହି ପକ୍ଷୀକୁ ଦେଖି ନାଲି ନାଲି ଆଖିରେ ଅନାଇ ରହିଲେ। ଜଟାୟୁ ଏହାକୁ ଦେଖି ଭୟଭୀତ ହୋଇଗଲେ। ପକ୍ଷୀଟି ନିଶ୍ଚିତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଟାୟୁ ଜାଣି ପାରିଲେ। ସେ ସେହିଠାରେ ମରିଯିବ ବୋଲି ଜଟାୟୁ ଅନୁମାନ କଲେ।

ହେଲେ ଜଟାୟୁ ଦେଖିଲେ ଯେ, ଯମଦେବ ଭିତରକୁ ଯିବା ପରେ ମଧ୍ୟ ପକ୍ଷୀଟି ସେମିତି ବୁଲୁଥିଲା। ହେଲେ କଣ ହେଲା କେଜାଣି ଜଟାୟୁ ଜାଣିପାରିଲେ ଯେ ଯମ ଦେବ ସଭାରୁ ଫେରିବା ପରେ ଏହି ପକ୍ଷୀଟିକୁ ନିଶ୍ଚିତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବେ। ସେଥିପାଇଁ ସେ ପକ୍ଷୀଟିର ଜୀବନ ରକ୍ଷା କରିବା ପାଇଁ ତାକୁ ସାତ ଯୋଜନ ଦୂରରେ ଥିବା ଏକ ଗଛ କୋରଡରେ ନେଇ ରଖି ଫେରି ଆସିଲେ।

ସଭା ସରିଲା। ଜଣଙ୍କ ପରେ ଜଣେ ଇନ୍ଦ୍ରଭୁବନରୁ ବିଦାୟ ନେବାକୁ ଲାଗିଲେ। ଜଟାୟୁ ସେହିଠାରେ ବଡ ଉତ୍କଣ୍ଠିତ ଭାବେ ଅନେଇ ରହିଥିଲେ। ଶେଷରେ ଯମ ଦେବ ଆସିଲେ, ବାହାରେ ସେହି ପକ୍ଷୀଟି ଯେଉଁଠି ବୁଲୁଥିଲା ସେହି ସ୍ଥାନକୁ ସେ ଅନାଇଲେ। ହେଲେ ପକ୍ଷୀଟିକୁ ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ଚାରିଆଡେ ଅନାଇଲେ ହେଲେ କେଉଁଠି ସେ ପକ୍ଷୀକୁ ନ ଦେଖିବାରୁ ସେଠାରେ ସେ ଯିବାକୁ ବାହାରିଲେ।

ଏହି ସମୟରେ ଜଟାୟୁ ପକ୍ଷୀ ଖୁସିରେ ଯମଦେବଙ୍କ ପାଖକୁ ଆସିଲେ। କହିଲେ, ‘ଯମରାଜ କାହାକୁ ଖୋଜୁଛନ୍ତି କି? ଯମଦେବ କହିଲେ ହଁ, ଏହିଠାରେ ଏକ ପକ୍ଷୀ ବୁଲୁଥିଲା, ସେ କୁଆଡେ ଗଲା ବୋଲି ଦେଖୁଥିଲି। ଜଟାୟୁ କହିଲେ, କାହିଁକି ପ୍ରଭୃ।

ତାପରେ ଯମ ଦେବ କହିଲେ ଯେ, ସେ ପକ୍ଷୀଟିର ମୃତ୍ୟୁ ଯୋଗ ରହିଛି। ଏଠାରୁ ପ୍ରାୟ ସାତ ଯୋଜନ ଦୂରରେ ଥିବା ଏକ ଗଛ କୋରଡରେ ତାର ମୃତ୍ୟୁ ହେବା କଥା। ହେଲେ ଏତେ ଛୋଟ ପକ୍ଷୀଟିଏ ଏତେ ଦୂରକୁ ସେ କିପରି ଯିବ ଏବଂ କିପରି ତାହାର ମୃତ୍ୟୁ ହେବ ସେ ନେଇ ମୁଁ ଆଶ୍ଚର୍ଯ୍ୟ ହେଉଛି। ଏହା କହି ଯମଦେବ ଚାଲିଗଲେ।

ଏହା ଶୁଣିବା ପରେ ଜଟାୟୁ ପକ୍ଷୀ ସବୁକିଛି ବୁଝିପାରି ଦୁଇ ଟୋପା ଲୁହ ନିଗାଡି ଦେଲେ।

Related posts