ସୁରକ୍ଷିତ ଆଶ୍ରୟ ଦେଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର: ଅନୁଭୂତି ବଖାଣିଲେ ହିତାଧିକାରୀ

Published: Dec 13, 2023, 9:24 pm IST

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସବୁ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ଏବେ ସୁଦ୍ଧା କୋଟି କୋଟି ଗରିବ ପରିବାର ଉପକୃତ ହୋଇଛନ୍ତି। ସେମିତି ଜଣେ ହିତାଧିକାରୀ ହେଉଛନ୍ତି ନୂଆପଡ଼ା ଜିଲ୍ଲା ପଲସିପାଣୀ ପଞ୍ଚାୟତର ସ୍ୱର୍ଣ୍ଣଲତା ଭୋଇ। ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ଅନୁଭୂତି ପ୍ରକାଶ କରି ଆବାସ ଯୋଜନାରେ ସହାୟତା ପାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀମତୀ ଭୋଇ କହିଛନ୍ତି, ପୂର୍ବରୁ ତାଙ୍କର ଚାଳଛପର ଘର ଥିବାରୁ ସେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ। ଘର ଛପର କରିବା ଲାଗି ନଡ଼ା କିଣିବା ଓ ମଜୁରି ଦେବାକୁ ପଡ଼ୁଥିବାରୁ ସେ ପ୍ରତିବର୍ଷ ଖର୍ଚ୍ଚାନ୍ତ ହେଉଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କାର ସହାୟତା ମିଳିଥିଲା । ଏହି ଅର୍ଥରେ ପକ୍କା ଘର ନିର୍ମାଣ କରି ତାଙ୍କ ପରିବାର ଏବେ ଶାନ୍ତିରେ ରହିପାରୁଛନ୍ତି ।

ନବରଙ୍ଗପୁର ଜିଲ୍ଲା ତାରାଗାଁର ଗରିବ ହିତାଧିକାରୀ ଉର୍ବଶୀ ବିଶୋୟୀଙ୍କ ଜୀବନରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖୁସି ଆଣିଛି । ପୂର୍ବରୁ ତାଙ୍କର କଚ୍ଚା ଘର ଥିଲା। ବର୍ଷା ଦିନେ ତାଙ୍କ ପରିବାରକୁ ବିଶେଷ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା। ଚାଳରୁ ପାଣି ଗଳିବା ସହିତ ବିଷଧର ଜନ୍ତୁ ଘରେ ପଶିଯିବାର ଭୟ ରହୁଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ସହାୟତା ମିଳିବାରୁ ନିଜର କିଛି ଅର୍ଥ ମିଶାଇ ସେ ଏବେ ପକ୍କା ଘରଟିଏ ନିର୍ମାଣ କରିଛନ୍ତି । ଯାହାଫଳରେ ତାଙ୍କର ଅସୁବିଧା ଦୂର ହୋଇଛି ଏବଂ ପରିବାର ସହ ସେ ଏବେ ଖୁସିରେ ରହିପାରୁଛନ୍ତି ।

ଆଉ ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ହରମାଲ୍ ପଞ୍ଚାୟତ ମାଧୁରୀ ପଟେଲ। ପୂର୍ବରୁ ଚାଳଛପର ଘର ପାଇଁ ତାଙ୍କ ପରିବାର ବିଶେଷ ଅସୁବିଧାର ସାମ୍ନା କରୁଥିଲେ। ଏବେ ପକ୍କା ଘର ଥିବାରୁ ତାଙ୍କର ସବୁ ଅସୁବିଧା ଦୂର ହୋଇଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରିବାରର ମହିଳାଙ୍କ ନାମରେ ଘର ମାଲିକାନା ରହୁଥିବାରୁ ଏହା ନାରୀ ସଶକ୍ତିକରଣର ମାଧ୍ୟମ ପାଲଟିଛି ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଜୁଲାଇ ୨୦୨୩ ସୁଦ୍ଧା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଦୁଇଟି ପର୍ଯ୍ୟାୟରେ ଦେଶର ଗ୍ରାମାଞ୍ଚଳରେ ୨ କୋଟି ୯୫ ଲକ୍ଷ ପରିବାରକୁ ପକ୍କା ଘର ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଯୋଜନାରେ ପ୍ରାୟ ୨ କୋଟି ୯୪ ଲକ୍ଷ ଆବାସ ମଞ୍ଜୁର ହୋଇଥିବା ବେଳେ ୨ କୋଟି ୪୧ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।

Related posts