ବାଲୁଗାଁ: ସ୍କୁଲ ପରିସରରୁ ପିଲା ଚୋରକୁ ଧରିଲେ ଅଭିଭାବକ, ଥାନାରେ ଦେଲେ ଜିମା

Published: Dec 14, 2023, 5:41 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଜଣେ ଯୁବକକୁ ପିଲା ଚୋରି କରୁଥିବା ନେଇ ଅଭିଭାବକ ଓ କର୍ମଚାରୀମାନେ କାବୁକରି ନିର୍ଧୂମ ମାଡ଼ ମାରିବାସହ ଥାନାରେ ଜିମା ଦେଇଥିବା ଖବର ମିଳିଛି। ଖବର ମୁତାବକ ଆଜି ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଲମ୍ପିଆଡ଼ ପରୀକ୍ଷା ଥିବାରୁ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ସକାଳେ ବିଦ୍ୟାଳୟକୁ ଆସିଥିଲେ। ଅଳ୍ପ ସଂଖ୍ୟକ ପିଲା ଆସିଥିବାର ସୁଯୋଗ ନେଇ ଜଣେ ବ୍ୟକ୍ତି ହଠାତ ବିଦ୍ୟାଳୟ ପରିସର ଭିତରେ ପଶି ଜଣେ ଛାତ୍ରକୁ ବିସ୍କୁଟ ମିକ୍ସଚରର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ ଏଥିରେ ପିଲାଟି ଅମଙ୍ଗ ହେବାରୁ ତାକୁ ଟଣାଓଟରା କରିଥିଲା।ଯାହାଫଳରେ ପିଲାଟି ଜୋରରେ କାନ୍ଦିବାରୁ କିଛି ଅଭିଭାବକ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ।

ପିଲା ଚୋରି କରୁଥିବା ସନ୍ଦେହ ନେଇ ଉକ୍ତ ଯୁବକକୁ ନିର୍ଧୂମ ମାଡ଼ ମାରି ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ। ଛାତ୍ର ଜଣକ ବାଣପୁର ସାନ ହନ୍ତୁଆଡ଼ ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ପୁଅ ରୋଷନ ପ୍ରଧାନ (୭) ଷ୍ଟାଣ୍ଡର୍ଡ-୧ ଅଧ୍ୟୟନ କରୁଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାଦ୍ରୀଭୂଷଣ ବେହେରା ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସମ୍ପୃକ୍ତ ଯୁବକଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ରେଳ ଟିକେଟ, ଆଧାରକାର୍ଡ, କିଛି ଟଙ୍କା ଓ ନିଶାଦ୍ରବ୍ୟ ଆଦି ଜବତ ହୋଇଛି। ଆଧାରକାର୍ଡ ଆଧାରରେ ସମ୍ପୃକ୍ତ ବ୍ୟକ୍ତି ଜଣକ କଲିକତା ବର୍ଦ୍ଧମାନ ଅଞ୍ଚଳର ପ୍ରତାପ ବାଗଡ଼ି (୩୩) ବୋଲି ଜଣାପଡିଛି।

ଯୁବକକୁ ୩୬୦/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଦ୍ୟାଳୟର ସିସି ଟିଭି ଯାଞ୍ଚ କରି ତଦନ୍ତ ଜାରି ରହିଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଏଭଳି ଅପ୍ରୀତିକର ପରିସ୍ଥିତି ନେଇ ଅଭିଭାବକ ମହଲରେ ଅସନ୍ତୋଷ ବାତାବରଣ ଦେଖା ଯାଇଥିବା ବେଳେ ବିଦ୍ୟାଳୟର ସୁରକ୍ଷା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related posts