
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଦାମୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଟାଙ୍ଗୀ ପୋଲିସ ଧରିବାରେ ସଫଳ ହୋଇଛି। ଚାଲାଣକାରୀମାନେ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରି ବେଆଇନ ଭାବେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଥିଲେ। ହେଲେ କୁହୁଡି ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟାଙ୍ଗୀ ପୋଲିସର ଗାଡି ମୋଟର ତନଖି ବେଳେ ସେମାନେ ଧରା ପଡିଥିଲେ।
ସେମାନଙ୍କ ନିକଟରୁ ୫୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏବଂ ସେଥିରେ ସାମିଲ ଥିବା ଦୁଇ ମହିଳାଙ୍କ ସମେତ ୪ ପୁରୁଷଙ୍କୁ ପୋଲିସ ଗିରଫ କରିଛି। ତେବେ ଚାଲାଣକାରୀମାନଙ୍କ ନିକଟରୁ ଟାଙ୍ଗୀ ପୋଲିସ ୩ ହଜାର ଟଙ୍କା ଓ ୭ ଟା ମୋବାଇଲ ଫୋନ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ସାହୁ (୨୯ ବର୍ଷ), ନାରାୟଣ ସାହୁ (୩୯ବର୍ଷ), ଅଜୟ ସାହୁ (୨୧ବର୍ଷ), ଶଙ୍କର ପ୍ରଧାନ (୩୧ବର୍ଷ), ଅନିତା ପଣ୍ଡା (୩୩ବର୍ଷ), ପିଙ୍କୁ ପ୍ରଧାନ (୨୧ବର୍ଷ)। ସମସ୍ତ ଅଭିଯୁକ୍ତମାନେ ଗଞ୍ଜାମରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି। ସେମାନେ ବ୍ୟବହାର କରିଥିବା ଦାମୀ କାରଟିକୁ ମଧ୍ୟ ପୋଲିସ ଜବତ କରିଛି।
ଏ ନେଇ ଟାଙ୍ଗୀ ଥାନା ପରିସରରେ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେରଙ୍କ ଉପସ୍ଥିତରେ SDPO ଅନିଲ କୁମାର ମହାନ୍ତି ପ୍ରେସ ମିଟରେ ସୂଚନା ଦେଇଛନ୍ତି।