ଲୋକସଭା ନିର୍ବାଚନ ପୂର୍ବରୁ ୧ କୋଟି ଲୋକଙ୍କୁ ରାମ ମନ୍ଦିର ଦର୍ଶନ କରାଇବ ବିଜେପି

Published: Dec 28, 2023, 10:15 am IST

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପରେ ସ୍ୱତନ୍ତ୍ର ଦର୍ଶନ ଅଭିଯାନ ଆରମ୍ଭ କରିବ ବିଜେପି। ଏହି ଅଭିଯାନ ଜାନୁଆରି ୨୪ରୁ ଆରମ୍ଭ ହୋଇ ୩ ମାସ ଧରି ଚାଲିବ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ। ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ବିଜେପିର ଏହି ପ୍ରୟାସକୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଶ୍ୱସ୍ତ ଭୋଟରଙ୍କୁ ଆକୃଷ୍ଟ କରିବା ସହ ଯୋଡ଼ାଯାଉଛି।

ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରୁ ୨୫୦୦ରୁ ୩୦୦୦ ଭୋଟରଙ୍କୁ ଅଯୋଧ୍ୟା ନେବା ପାଇଁ ପ୍ରସ୍ତୁତି ଚାଲିଛି। ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରିବ ଦଳ। ବୁଥ୍ ସ୍ତରରୁ ପର୍ଯ୍ୟଟକଙ୍କ ତାଲିକା ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ଜିଲ୍ଲା ୟୁନିଟ ଏହି ତାଲିକା ରାଜ୍ୟ ୟୁନିଟକୁ ପଠାଇବ, ଏହାପରେ ଅଯୋଧ୍ୟା ଆସିବାଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯିବ। ପ୍ରାଣପ୍ରତିଷ୍ଠା ଉତ୍ସବ ପରେ ୧୦୦ଦିନ ପର୍ଯ୍ୟନ୍ତ ସାରାଦେଶରୁ ପ୍ରାୟ ୧୦୦୦ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ଟ୍ରେନମାଧ୍ୟମରେ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକରାମଲାଲଙ୍କୁ ଦର୍ଶନ କରିବାକୁ ଯିବେ।

ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ସାଧାରଣ ଜନତାଙ୍କୁ କହିବାକୁ ଚେଷ୍ଟା କରିବେ ଯେ ସେମାନଙ୍କ ଦଳ ସେହି କାମ କରିଛି ଯାହା ୫୦୦ ବର୍ଷ ମଧ୍ୟରେ ହୋଇପାରିନଥିଲା। ପୂର୍ବାନୁମାନ ଅନୁଯାୟୀ, ଭାରତୀୟ ଜନତା ପାର୍ଟି ରାମ ମନ୍ଦିର ଦର୍ଶନ ପାଇଁ ୫୦ ଲକ୍ଷରୁ ୧ କୋଟି ଲୋକଙ୍କୁ ନେବାକୁ ଯୋଜନା କରିଛି।

Related posts