୨୦୨୪ର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ: ଜାଣନ୍ତୁ ଖୋର୍ଦ୍ଧାରେ ଯୋଡି ହେଲେ କେତେ ନୂଆ ଯୁବ ଭୋଟର

Published: Jan 6, 2024, 6:26 pm IST

ଖୋରଧା: ଖୋରଧା ଜିଲ୍ଲା ଅନ୍ତର୍ଗତ ୮ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ ୧୮୬୫୪୫୫ ଜଣ ମତାଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ ୯୭୧୫୫୪ ଜଣ ପୁରୁଷ ଓ ୮୯୩୩୪୧ ଜଣ ମହିଳା ଭୋଟର ଥିବାବେଳେ ୫୬୦ ଜଣ ତୃତୀୟ ଲିଙ୍ଗା ଭୋଟର ରହିଛନ୍ତି। ସଂକ୍ଷିପ୍ତ ଭୋଟର ତାଲିକା ପ୍ରକାଶନ ବେଳେ ଜିଲ୍ଲାରେ ୧୮୨୪୦୬୯ ଜଣ ଭୋଟର ଥିବାବେଳେ ଚୂଡାନ୍ତ ତାଲିକାରେ ୧୮୬୫୪୫୫ ଜଣ ମତଦାତା ରହିଛନ୍ତି। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୯୫୧୭୦ ଜଣଙ୍କୁ ଯୋଗ କରାଯାଇଥିବା ବେଳେ ୪୭୨୦୨ ଜଣଙ୍କୁ ବାଦ ଦିଆଯାଇଛି। ଏଥିରେ ୧୮ ରୁ ୧୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ୩୫୩୦୮ ରହିଥିବା ବେଳେ ୨୪୩୦୭ ଜଣ ଯୁବ ଭୋଟର ତାଲିକରେ ଯୋଗ ହୋଇଛନ୍ତି।

ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୦୨୪ର ଭୋଟର ତାଲିକା ପ୍ରକାଶନ କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ଏକ ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ଯେତିକି ଜରୁରୀ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିର ମଧ୍ୟ ସେତିକି ଆବଶ୍ୟକତା ରହିଥିବା ବୋଲି କହିଥିଲେ। ସମସ୍ତ ନୂତନ ଭୋଟର ମାନଙ୍କୁ ସେ ଶୁଭେଚ୍ଛା ଜଣାଇବା ସହ ନିଶ୍ଚିତ ମତଦାନ କରିବାକୁ ପରାମର୍ଶ ଦେଇଥିଲେ । ଭୋଟର ତାଲିକାରେ ୯୯.୯୨ ଭାଗ ଭୋଟରଙ୍କ ଫଟୋ ସାମିଲ ଅଛି ।

ଏହି ତାଲିକାରେ ଯୋଗ ହେବା ନିମନ୍ତେ ୧୭୦୫୫ ଜଣ ସମ୍ଭାବ୍ୟ ଭୋଟର ମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଛି। ଜିଲ୍ଲାରେ ୧୯୦୭ ମତଦାନ କେନ୍ଦ୍ର ଥିବାବେଳେ ସେନାବାହିନୀରେ କାର୍ଯ୍ୟାରତ ଜିଲ୍ଲାର ୨୫୩୯ ଜଣ ଭୋଟର ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ। ସେହିଭଳି ତାଲିକାରେ ଏକ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ୯୧୯ ଜଣ ମହିଳା ଭୋଟର ରହିଛନ୍ତି ଏବଂ ତାଲିକାରେ ମୋଟ ୩୦୨୪୩ ଜଣ ଭିନ୍ନକ୍ଷମ ମତଦାତା ରହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଡେପୁଟି କଲେକ୍ଟର ମନୋଜ ସେନାପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Related posts