ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Published: Jan 21, 2024, 9:15 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରବିବାର ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ- ୧୬ ନିକଟରେ ଆରମ୍ଭ ହୋଇଥିବା ନୂଆ ହସ୍ପିଟାଲରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ବ୍ୟବସ୍ଥା ରହିଛି ।
ମୁଖ୍ୟମନ୍ତ୍ରୀ ହସ୍ପିଟାଲ କ୍ୟାମ୍ପସ୍‌ରେ ପଂହଚିବା ପରେ ତାଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର )ମନୋଜରଂଜନ ନାୟକ ସ୍ୱାଗତ କରିଥିଲେ । ହସ୍ପିଟାଲଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରଖାନା ପରିସରରେ ଉପଲବ୍ଧ ଥିବା ସୁବିଧା ଗୁଡିକକୁ ବୁଲି ଦେଖିଥିଲେ । ଏହି ଅବସରରେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ୍ , ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁରେଶ କୁମାର ମହାପାତ୍ର, ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏବଂ ପୂର୍ବତନ କୁଳପତି ତଥା ପ୍ରମୁଖ ଉପଦେଷ୍ଟା ( ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ଏହି ନୂତନ ହସ୍ପିଟାଲ ରାଜ୍ୟ ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଂଟ ହେବାର ଲକ୍ଷ୍ୟ ରଖିଛି ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।
ଦୀର୍ଘ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଏବେ ଓଡ଼ିଶା ତଥା ପୂର୍ବାଂଚଳ ରାଜ୍ୟଗୁଡ଼ିକର ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଫୁଲନଖରା ଠାରେ ଉଦ୍‌ଘାଟିତ ଏହି ନୂତନ ହସ୍ପିଟାଲରେ ବର୍ତମାନ ୭୫୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇ ୩୦୦୦ ହେବ ।
ଏହି ନୂତନ ଡାକ୍ତରଖାନାରେ ଜେନେରାଲ୍ ମେଡିସିନ୍‌, ରେସ୍‌ପିରେଟୋରୀ ମେଡିସିନ୍‌, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍‌, ସାଇକିଆଟ୍ରି, ଆନେସ୍‌ଥେସିଓଲୋଜି, ରେଡିଓ-ଡାଏଗ୍ନୋସିସ୍‌, ଇମର୍ଜେନ୍ସି ମେଡିସିନ୍‌, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍‌, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର୍ ମେଡିସିନ୍‌, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବ୍‌ଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍‌ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଇତ୍ୟାଦି ବିଭାଗ ରହିବ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଡାକ୍ତରମାନେ ଓ ନୂତନ ଭାବେ ନିଯୁକ୍ତ ଡାକ୍ତର ମାନେ ଫୁଲନଖରା ଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ । ଏଠାରେ ୨୪ ଘଂଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ
ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ହେବ । ସୁଲଭ ମୂଲ୍ୟରେ ଏଠାରେ ଉତମ ମାନର ସ୍ପେଶିଆଲିଷ୍ଟ୍ ଓ ସୁପର ସ୍ପେଶିଆଲିଷ୍ଟ୍ ଚିକିତ୍ସା ସୁବିଧା ରୋଗୀମାନଙ୍କୁ ପ୍ରଦାନ କରାଯିବ ।

ଏଠାରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ଯନ୍ତ୍ରପାତି ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଂଚିବାରେ ସୁବିଧା ହେବ । ଖୁବ୍ ଶୀଘ୍ର ଦ୍ୱିତୀୟ କ୍ୟାମ୍ପସ୍ ରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରାଯିବାର ମଧ୍ୟ ଯୋଜନା ରହିଛି ।

ପ୍ରଫେସର ନନ୍ଦ କହିଥିଲେ ଯେ ଚଳିତ ମାସ ଶେଷ ସୁଦ୍ଧା ସମ୍ ହସ୍ପିଟାଲ ର ଅନ୍ୟଏକ କ୍ୟାମ୍ପସ୍ ଗଞ୍ଜାମ ଜିଲ୍ଲାର ଶିତଳାପଲ୍ଲୀ ଠାରେ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବାର ଯୋଜନା ରହିଛି । ୩୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ସମସ୍ତ ଆବଶ୍ୟକୀୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ନିମନ୍ତେ ଭିତିଭୂମି ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।
ଏହି ତିନୋଟି ହସ୍ପିଟାଲରେ ରାଜ୍ୟସରକାର ଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ଉପଲବ୍ଧ ଏବଂ ତିନୋଟି ହସ୍ପିଟାଲ ଲୋକମାନଙ୍କୁ ଉତମମାନ ର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ, ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଫୁଲନଖରା କ୍ୟାମ୍ଫସ୍ ର ନୂତନ ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା ଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

୨୦୦୫ ମସିହାରେ ଆରମ୍ଭ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପ୍ରତ୍ୟେକ ବର୍ଷ ଏମ୍‌ବିଏସ୍‌ଏସ୍ ପାଠ୍ୟକ୍ରମରେ ୨୫୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହସ୍ପିଟାଲ ଆରମ୍ଭ ହେବା ପରଠାରୁ ଉତମ ଓ ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଛି ।

Related posts