ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ବଡ଼ ଦୁର୍ଘଟଣା, ବିମାନରେ ଥିଲେ ୧୪ ମିଆଁମାର ସୈନିକ

Published: Jan 23, 2024, 1:33 pm IST

ନୂଆଦିଲ୍ଲୀ: ଆଜି ଭାରତର ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଆଇଜୋଲ ନିକଟ ଲେଙ୍ଗପୁଇ ବିମାନବନ୍ଦରରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲେଙ୍ଗପୁଇ ବିମାନବନ୍ଦର ଆଇଜୋଲ ନିକଟରେ ଅବସ୍ଥିତ ଏକ ଘରୋଇ ବିମାନବନ୍ଦର।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ମିଜୋରାମ ଡିଜିପି କହିଛନ୍ତି ଯେ, ମିଆଁମାର ଆର୍ମି ବିମାନ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଲୋକ ଥିଲେ। ଆହତମାନଙ୍କୁ ଲେଙ୍ଗପୁଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ମିଆଁମାରରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି, ଯେଉଁ କାରଣରୁ ସୈନିକମାନେ ପଳାୟନ କରି ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାକୁ ପ୍ରବେଶ କରିଥିଲେ। ଏହି ସୈନିକମାନଙ୍କୁ ନେବା ପାଇଁ ବିମାନ ଭାରତ ଆସିଥିଲା।

ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ସାମରିକ ବିମାନ ଭାରତରେ ଉପସ୍ଥିତ ଥିବା ସେନା କର୍ମଚାରୀଙ୍କୁ ନେବାକୁ ଆସିଛି। ଲେଙ୍ଗପୁଇ ବିମାନବନ୍ଦରର ରନୱେରେ ଅବତରଣ କରିବା ସମୟରେ ବିମାନଟି କ୍ଷତିଗ୍ରସ୍ତ ହୋଇଯାଇଥିଲା। ଆସାମ ରାଇଫଲ୍ସ ଅଧିକାରୀ କହିଛନ୍ତି ଯେ, ଭାରତ ୧୮୪ ମିଆଁମାର ସୈନିକଙ୍କୁ ନିଜ ଦେଶକୁ ପଠାଇଛି। ଗତ ସପ୍ତାହରେ ମିଆଁମାରର ୨୭୬ ସୈନିକ ମିଜୋରାମରେ ପ୍ରବେଶ କରିଥିଲେ, ସେଥିମଧ୍ୟରୁ ୧୮୪ ଜଣ ସୈନିକଙ୍କୁ ସୋମବାର ପଠାଯାଇଥିଲା।

Related posts