ଆନ୍ଦୋଳନ ମଧ୍ୟରେ ଶମ୍ଭୁ ସୀମାରେ ବୃଦ୍ଧ କୃଷକଙ୍କ ପ୍ରାଣହାନୀ: ଥଣ୍ଡା ଯୋଗୁଁ ହୃଦଘାତରେ ହେଲା ମୃତ୍ୟୁ

Published: Feb 16, 2024, 3:24 pm IST

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ମଧ୍ୟରେ ଜଣେ ବୃଦ୍ଧ କୃଷକ ପ୍ରାଣ ହରାଇଛନ୍ତି। ହୃଦଘାତରେ ପୀଡିତ ହେବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ ଅନ୍ନାଦାଙ୍କୁ ୭୮ ବର୍ଷିୟ ଜ୍ଞାନ ସିଂ ବୋଲି ଜଣା ପଡିଛି। ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ। ପ୍ରକାଶ ଯେ, ପ୍ରଦର୍ଶନ ସମୟରେ ରାତିରେ ସେ ଥଣ୍ଡା ଅନୁଭବ କରିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜ୍ଞାନ ସିଂଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ସକାଳ ୪ ଟାରେ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ପଟିଆଲାର ସରକାରୀ ରାଜେନ୍ଦ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ସେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତାଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ଦେଢ ଘଣ୍ଟା ଧରି ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା ଚାଷୀଙ୍କ ବିରୋଧ ମଧ୍ୟରେ ଏହା ଜଣେ କୃଷକଙ୍କ ପ୍ରଥମ ମୃତ୍ୟୁ।

ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ, ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଏଠାକୁ ଅଣାଯିବା ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ସକାଳ ୬ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପଟିଆଲା ଡେପୁଟି କମିଶନର ଶୌକତ ଅହମ୍ମଦ ପରେ ମଧ୍ୟ ଚାଷୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଡାକ୍ତରୀ ରେକର୍ଡ ଅନୁଯାୟୀ ହୃଦଘାତ ଯୋଗୁଁ ଚାଷୀଙ୍କ ମୃତ୍ୟୁ ଘଟିଛି।

Related posts