Categories
ଆଜିର ଖବର ଜାତୀୟ ଖବର

ଆଜି ଶମ୍ଭୁ ସୀମା ଖୋଲିବା ପାଇଁ ଅଲ୍ଟିମେଟମ୍ ର ଶେଷ ଦିନ, କୃଷକମାନେ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୭ ଦିନ ମଧ୍ୟରେ ଶମ୍ଭୁ ସୀମା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟଙ୍କ ଆଦେଶର ଶେଷ ଦିନ। କିନ୍ତୁ, ତଥାପି ଶମ୍ଭୁ ସୀମା ଖୋଲିବାର କୌଣସି ସମ୍ଭାବନା ନାହିଁ। ପ୍ରକୃତରେ, ହାଇକୋର୍ଟଙ୍କ ଆଦେଶ ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଆବେଦନକାରୀ ଓକିଲ ଉଦୟ ପ୍ରତାପ ସିଂଙ୍କ ଅନୁଯାୟୀ ଏହି ଏସଏଲପି ଜୁଲାଇ ୨୨ ତାରିଖରେ ଶୁଣାଣି ହେବ। ଅନ୍ୟପକ୍ଷରେ କୃଷକମାନେ ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ସ୍ଲୋଗାନ ଦେଇଛନ୍ତି।

କୃଷକ ନେତା ଜଗଜିତ୍ ସିଂ ଡଲ୍ଲେୱାଲ କହିଛନ୍ତି ଯେ, ଶମ୍ଭୁ ସୀମା ଖୋଲିବାକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଜାତୀୟ ରାଜପଥ ଚାଷୀଙ୍କ ଦ୍ୱାରା ନୁହେଁ ବରଂ ହରିୟାଣା ସରକାର ବନ୍ଦ କରି ଦେଇଛନ୍ତି। ଚାଷୀମାନେ ରାସ୍ତା ବନ୍ଦ କରିଦେଇଥିବାର ଭୁଲ ଖବର ବିସ୍ତାର ହୋଇଥିଲା। ତେଣୁ ହାଇକୋର୍ଟଙ୍କ ଆଦେଶ ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛନ୍ତି। ଆବେଦନକାରୀ ଓକିଲ ଉଦୟ ପ୍ରତାପ ସିଂଙ୍କ ଅନୁଯାୟୀ ଏହି ଏସଏଲପି ଜୁଲାଇ ୨୨ ତାରିଖରେ ଶୁଣାଣି ହେବ।

ଜଗଜିତ ସିଂ ଡଲ୍ଲେୱାଲ କହିଛନ୍ତି ଯେ, ଶମ୍ଭୁ ସୀମା ଖୋଲିବା ମାତ୍ରେ କୃଷକମାନେ ଦିଲ୍ଲୀ ଆଡକୁ ଯିବେ। ଏହି ସମୟରେ ପଞ୍ଜାବର ଅନେକ ଜିଲ୍ଲାର କୃଷକମାନେ ଦିଲ୍ଲୀ ଯାତ୍ରା କରିବା ପାଇଁ ଖନୌରୀ ଏବଂ ଶମ୍ଭୁ ସୀମାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ହରିୟାଣାରେ କୃଷକମାନଙ୍କର ସଭା ଆରମ୍ଭ ହୋଇଛି। କୃଷକମାନେ ଟ୍ରାକ୍ଟର-ଟ୍ରଲି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।

ପ୍ରକାଶ ଯେ, କିଷାନ-ଶ୍ରମିକ ମୋର୍ଚ୍ଚା ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଫେବୃଆରୀ ୧୩ ତାରିଖରୁ କୃଷକଙ୍କ ଆନ୍ଦୋଳନ ଚାଲିଛି। ପଞ୍ଜାବର କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ବାହାରିଥିଲେ, କିନ୍ତୁ ସେମାନେ ଶମ୍ଭୁ ସୀମାରେ ଅଟକି ଯାଇଥିଲେ। ଏହି ସମୟ ମଧ୍ୟରେ କୃଷକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଦେଖାଯାଇଥିଲା। ଏଥିରେ ଅନେକ କୃଷକ ଏବଂ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଦୋଳନ ମଧ୍ୟରେ ଶମ୍ଭୁ ସୀମାରେ ବୃଦ୍ଧ କୃଷକଙ୍କ ପ୍ରାଣହାନୀ: ଥଣ୍ଡା ଯୋଗୁଁ ହୃଦଘାତରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ମଧ୍ୟରେ ଜଣେ ବୃଦ୍ଧ କୃଷକ ପ୍ରାଣ ହରାଇଛନ୍ତି। ହୃଦଘାତରେ ପୀଡିତ ହେବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ ଅନ୍ନାଦାଙ୍କୁ ୭୮ ବର୍ଷିୟ ଜ୍ଞାନ ସିଂ ବୋଲି ଜଣା ପଡିଛି। ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ। ପ୍ରକାଶ ଯେ, ପ୍ରଦର୍ଶନ ସମୟରେ ରାତିରେ ସେ ଥଣ୍ଡା ଅନୁଭବ କରିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜ୍ଞାନ ସିଂଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ସକାଳ ୪ ଟାରେ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ପଟିଆଲାର ସରକାରୀ ରାଜେନ୍ଦ୍ର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ସେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତାଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ଦେଢ ଘଣ୍ଟା ଧରି ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପଞ୍ଜାବ-ହରିୟାଣା ସୀମାରେ ଚାଲିଥିବା ଚାଷୀଙ୍କ ବିରୋଧ ମଧ୍ୟରେ ଏହା ଜଣେ କୃଷକଙ୍କ ପ୍ରଥମ ମୃତ୍ୟୁ।

ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ, ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଏଠାକୁ ଅଣାଯିବା ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ସକାଳ ୬ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପଟିଆଲା ଡେପୁଟି କମିଶନର ଶୌକତ ଅହମ୍ମଦ ପରେ ମଧ୍ୟ ଚାଷୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଡାକ୍ତରୀ ରେକର୍ଡ ଅନୁଯାୟୀ ହୃଦଘାତ ଯୋଗୁଁ ଚାଷୀଙ୍କ ମୃତ୍ୟୁ ଘଟିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ, ଏଥର ଆନ୍ଦୋଳନ ହେବ ଜୋରଦାର

ନୂଆଦିଲ୍ଲୀ, ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ। ଏ ନେଇ ଅନ୍ୟତମ ଚାଷୀ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହି ଡାକରା ଦେଇଛି। ସେହି ଅନୁସାରେ ଆସନ୍ତା ମାର୍ଚ୍ଚ 26 ତାରିଖରେ ଏହି ଭାରତ ବନ୍ଦ ପାଳନ କରାଯିବ। ଏଥିପାଇଁ ଭାରତର ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା ହୋଇଛି। ସେସବୁ ସଂଗଠନ ଏହି ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂଗଠନ।

ମାର୍ଚ୍ଚ 26 ତାରିଖରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ 4 ମାସ ପୁରିଯାଉଛି। ସେହି ଉପଲକ୍ଷେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ବିଲ କୁ ବର୍ତ୍ତମାନ ଦେଶର ଚାଷୀ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ନୂଆଦିଲ୍ଲୀରେ ଦୀର୍ଘ ତିନିମାସ ଧରି ଆନ୍ଦୋଳନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ଏହି ଚାଷୀ ବିଲକୁ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚାଷୀ ସଂଗଠନ ଚେତାବନି ଦେଇଛି।

ଚାଷୀମାନଙ୍କର ଏହି ଦାବୀ ସଂପର୍କରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ସହିତ ବାରମ୍ବାର ବୈଠକ ବସିଛି। ହେଲେ କୌଣସି ବୈଠକ ଫଳପ୍ରଦ ହୋଇପାରି ନାହିଁ। ଏହି ଆଲୋଚନାରେ ସରକାର ବିଲରେ କେତକ ସଂଶୋଧନ କରିବାକୁ ରାଜି ହୋଇଥିଲେ ମଧ୍ୟ ଚାଷୀ ସଂଗଠନ ଏଥିରେ ରାଜି ହେଉ ନାହାଁନ୍ତି। ସେମାନଙ୍କର ଗୋଟିଏ ଦାବୀ ଏହି ତିନୋଟି ବିଲକୁ ପ୍ରତ୍ୟାହାର କରାଯାଉ।

ଅନ୍ୟପଟେ କେନ୍ଦ୍ର ସରକାର ବର୍ତ୍ତମାନ ବିଲ ପ୍ରତ୍ୟାହାର ନେଇ ରାଜି ହେଉ ନାହାଁନ୍ତି। ଫଳରେ ଚାଷୀ ସଂଗଠନର ଆନ୍ଦୋଳନ ସେହିପରି ଚାଲୁ ରହିଛି। ଏପରିକି ଏହି ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମାଲୋଚନା କରାଯାଉଛି। ଭାରତରେ ମଧ୍ୟ ସମସ୍ତ ବିରୋଧୀ ଦଳ ଚାଷୀ ସଂଗଠନର ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରୁ ନ ଥିବାରୁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ମାର୍ଚ୍ଚ 26 ତାରିଖରେ ଏହି ଆନ୍ଦୋଳନକୁ ଜୋରାଦାର କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଚାଷୀଙ୍କ ଦାବୀ ମାନିବାକୁ ସରକାର ନାରାଜ, ସପ୍ତମ ଥର ପାଇଁ ଚାଷୀ ସରକାର ଆଲୋଚନା ବିଫଳ

ନୂଆଦିଲ୍ଲୀ, ବାରମ୍ବାର ବୈଠକ ବସୁଛି, ଘଣ୍ଟା ଘଣ୍ଟା ଆଲୋଚନା ହେଉଛି, ହେଲେ ସମାଧାନ ହୋଇପାରୁ ନାହିଁ। ସରକାର କୃଷି ବିଲ ପ୍ରତ୍ୟାହାର କରିବା ପାଇଁ ରାଜି ନାହାଁନ୍ତି, ସେପଟେ ଚାଷି ସଂଗଠନ ବିଲ ପ୍ରତ୍ୟାହାର ନାହିଁ ତ ଆନ୍ଦୋଳନ ପ୍ରତ୍ୟାହାର ନାହିଁ ଜିଦରେ ଅଛନ୍ତି। ଫଳରେ ଦୀର୍ଘଦିନ ଧରି ଚାଲିଥିବା ଚାଷି ଆନ୍ଦୋଳନ ବଢିବାରେ ଲାଗିଛି।

ସୋମବାର ଦିନ ମଧ୍ୟ ଚାଷୀ ସଂଗଠନ ସହିତ କେନ୍ଦ୍ର ସରକାରଙ୍କ ପ୍ରତିନିଧୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା ହେବା। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ବୈଠକରେ ଦେଶର 41ଟ ଚାଷୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ।

ସେହିପରି ସରକାରଙ୍କ ତରଫରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳବାଇ, ବାଣିଜ୍ୟ ଏବଂ ଶିଳ୍ପ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟାଲ ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୋମ ପ୍ରକାଶଙ୍କ ସହିତ ଆଲୋଚନା ହୋଇଥିଲା। ହେଲେ କୌଣସି ସୁଫଳ ମିଳି ନ ଥିଲା।

ଏହି ବୈଠକ ପ୍ରାରମ୍ଭରେ ମୃତ ଚାଷୀଙ୍କ ପାଇଁ ସମସ୍ତେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରିିଥିଲେ। ଏହାପରେ ଚାଷୀ ନେତାଙ୍କୁ ବୁଝାଇବା ପାଇଁ ତିନି ମନ୍ତ୍ରୀ ଲାଗିପଡି ଥିଲେ। ହେଲେ ଚାଷୀ ନେତା ସେମାନଙ୍କ ଭାଷଣକୁ ଶୁଣିବା ମୁଡରେ ନ ଥିଲେ। ଫଳରେ ପୁଣିଥରେ ସେହି ବୈଠକ ବିଫଳ ହେଲା ବୋଲି ଚାଷୀ ନେତାମାନେ କହିଥିଲେ।

ସେପଟେ କୃଷିମନ୍ତ୍ରୀ କହିଛନ୍ତି ଯେ ଆଲୋଚନା ଠିକଠାକ୍ ଚାଲିଛି। ପୁଣିଥରେ ଚାଷୀମାନଙ୍କ ସହିତ ଆସନ୍ତା 8 ତାରିଖରେ ବୈଠକ ବସିବ। ସେହି ବୈଠକରେ ଏକ ନିସ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ସାତ ଥର ଆଲୋଚନା ହୋଇସାରିଲାଣି। ତଥାପି କୈଣସି ସମାଧାନ ହୋଇପାରୁ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଚାଷୀ ଆନ୍ଦୋଳନ ନେଇ ଭୟଭୀତ ସରକାର, ସାମ୍ବାଦିକ ସମ୍ମିଳନୀ କରି କହିଲେ କୃଷକ କଲ୍ୟାଣ କଥା

ନୂଆଦିଲ୍ଲୀ, ଦୀର୍ଘଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳକୁ ନେଇ ସରକାର ଯେ ଭୟଭୀତ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ। ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରୁ ନାହିଁ। ଫଳରେ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷକ କଲ୍ୟାଣ ଉପରେ ରଖାଯାଇଛି ବିସ୍ତୁତ ତଥ୍ୟ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏକ ଆପୋଷ ଆଲୋଚନା ପାଇଁ ସେମାନେ କୃଷକ ସଂଗଠନର ନେତାମାନଙ୍କୁ ପୁଣି ଥରେ ନିବେଦନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଯାହା ରଂଗୀନ ତଥ୍ୟ ଦିଆଯାଇଛି ସେଗୁଡିକ ହେଲା

1-କୃଷକ ଉତ୍ପାଦିତ ସାମଗ୍ରୀ ଏବଂ ବାଣିଜ୍ୟ ଆଇନ ୨୦୨୦, ଆର୍ଥିକ ପ୍ରତିଶ୍ରୁତି ନିମନ୍ତେ କୃଷକ ସଶକ୍ତିକରଣ ଓ ନିରାପତ୍ତା ରାଜିନାମା ଏବଂ କୃଷି ସେବା ଆଇନ ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଅଦ୍ୟାବଧି ଦେଶରେ ସବୁଠାରୁ ବଡ କୃଷିଗତ ସଂସ୍କାରର ମାନ୍ୟତା ଲାଭ କରିଛି । ଏହି ସଂସ୍କାର ଯୋଗୁଁ ଚାଷୀମାନଙ୍କୁ ବଜାର ସ୍ଵାଧୀନତା ମିଳିବା ସହ ଔଦ୍ୟୋଗିକତା ପାଇଁ ପ୍ରୋତ୍ସାହିତ କରିବ। ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରି କୃଷି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ।

2-କେନ୍ଦ୍ର ସରକାର ଏମଏସପି ଏବଂ ଉତ୍ପାଦ ସଂଗ୍ରହ ଉପରେ ପ୍ରତିଶ୍ରୁତି ଦେବା ପାଇଁ ରାଜି ଅଛନ୍ତି। ଏପିଏମସି ଏବଂ ତା ବାହାରେ ସରକାର ନେଣଦେଣ କାରବାର ନେଇ ସ୍ଵଛତା ରକ୍ଷା କରିବେ । କୌଣସି ବିବାଦ ଉପୁଜିଲେ ଚାଷୀମାନେ ଚାହିଁଲେ ଏସଡିଏମ ଅଦାଲତ ବ୍ୟତୀତ ଦେବାନୀ ଅଦାଲତର ମଧ୍ୟ ଆଶ୍ରୟ ନେଇପାରିବେ।

3-ଛଣ ବା ନଡା ଜଳାଇବା ପାଇଁ ଜରିମାନା ଓ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧିତ ବିଲ ଉପରେ ସରକାର ସଚେତନ ଅଛନ୍ତି। ନୂତନ କୃଷି ଆଇନରେ ଚାଷୀମାନଙ୍କ ଜମି ଜମା ସୁରକ୍ଷିତ ରହିବ।

4-କୃଷି କ୍ଷେତ୍ରକୁ ମଜବୁତ କରିବା ତଥା କୃଷକମାନଙ୍କ ବିକାଶ କରିବା ପାଇଁ ମୋଦୀ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ମନ୍ତ୍ରୀ ତୋମର ଓ ଗୋୟଲ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଅଂଶୀଦାରମାନଙ୍କ ସହ ଅନେକ ଆଲୋଚନା ପରେ ଏହି ସଂସ୍କାର ଅଣାଯାଇଛି। ଏଥିରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଯେକୌଣସି ସ୍ଥାନରେ ବିକ୍ରୟ କରିବା ପାଇଁ ସ୍ଵାଧୀନତା ଦିଆଯିବା ସହ ଘରୋଇ କମ୍ପାନୀଗୁଡ଼ିକ ସହିତ ବ୍ୟବସାୟିକ ବୁଝାମଣା ବେଳେ ଆଇନଗତ ସୁରକ୍ଷା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି।

5-ନୂତନ ଆଇନ ବଳରେ ବିବାଦର ସମାଧାନ ହେବା ଯୋଗୁଁ ମହାରାଷ୍ଟ୍ରର ଜଣେ ଚାଷୀ କିପରି ସଙ୍ଗେ ସଙ୍ଗେ ତାଙ୍କର ଦେୟ ପାଇପାରିଲେ କୃଷି ମନ୍ତ୍ରୀ ତାହାର ଏକ ଉଦାହାରଣ ଦେଇଛନ୍ତି। ସେମାନେ କହିଛନ୍ତି ଯେ, କେନ୍ଦ୍ର ସରକାର ଯେତେବେଳେ କୌଣସି ଆଇନ ପ୍ରଣୟନ କରନ୍ତି, ତାହା ସମଗ୍ର ଦେଶ ପାଇଁ ଲାଗୁ ହୋଇଥାଏ।

6-କୃଷି ବିପଣନ କ୍ଷେତ୍ରରେ ଯେକୌଣସି ଆଇନ କଲାବେଳେ କେନ୍ଦ୍ର ସରକାର ତାହା ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟରେ ହିଁ କରିଥାନ୍ତି।

7-୨୦୧୪ ରୁ ୨୦୨୦ ମଧ୍ୟରେ କୃଷି କ୍ଷେତ୍ରରେ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଏହା କୃଷି ଓ ଗ୍ରାମାଞ୍ଚଳ କ୍ଷେତ୍ର ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାର ସୂଚନା ଦେଇଥାଏ।

8-ପିଏମ-କିଷାନ ବାବଦକୁ ୭୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହାଫଳରେ କୃଷକମାନେ ୬ ହଜାର ଟଙ୍କାର ପ୍ରତ୍ୟକ୍ଷ ଆୟ ସହାୟତା ପାଉଛନ୍ତି। କୃଷି ଭିତ୍ତିଭୂମିର ବିକାଶ ନିମନ୍ତେ ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

9- ସରକାରଙ୍କ ଦ୍ଵାରା ରାସାୟନିକ ସାରର ପ୍ରୟୋଗ ହ୍ରାସ କରି ଜମିର ଉର୍ବରତା ବୃଦ୍ଧି ପାଇଁ ନିମ ପ୍ରଲେପଯୁକ୍ତ ୟୁରିଆ ଯୋଜନା ପ୍ରବର୍ତ୍ତନ କରାଯାଇଛି ।

10-ସ୍ଵାମୀନାଥନ କମିଟି ଆୟୋଗର ସୁପାରିଶ ଅନୁସାରେ ନ୍ୟୁନତମ ସହାୟକ ମୂଲ୍ୟ ମୋଦୀ ସରକାର ଘୋଷଣା କରିଛନ୍ତି । ଏହାଫଳରେ କୃଷକମାନେ ନିଶ୍ଚିତ ଭାବରେ ଅନ୍ତତଃ ତାଙ୍କର ଉତ୍ପାଦିତ ଖର୍ଚ୍ଚଠାରୁ ଦେଢଗୁଣ ଅଧିକ ଲାଭ ପାଇପାରିବେ।

11-ପ୍ରଧାନମନ୍ତ୍ରୀ କିଷାନ ମନ ଧନ ଅଧୀନରେ କୃଷକମାନେ ପେନସନ ସହାୟତା ମଧ୍ୟ ପାଉଛନ୍ତି । କୃଷକ ଉତ୍ପାଦକ ସଂଗଠନ କୃଷକମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ସଚେତନ କରାଉଛନ୍ତି ଏବଂ ଏହିପରି ୧୦ ହଜାର ସଂଗଠନ ସୃଷ୍ଟି କରାଯାଇଛି।

ଏହି ସମସ୍ତ ପଦକ୍ଷେପ କୃଷକମାନଙ୍କର କଲ୍ୟାଣ ଏବଂ ଅଧିକ ଉପାର୍ଜନ ନିମନ୍ତେ ଉଦ୍ଦିଷ୍ଟ ଓ କେନ୍ଦ୍ର ସରକାରଙ୍କ କୃଷି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେମାନେ କହିଛନ୍ତି । ତେବେ ଚାଷୀ ଆନ୍ଦୋଳନକୁ ସରକାରଙ୍କ ଏହି ରଂଗୀନ ତଥ୍ୟ କେତେ ପ୍ରଭାବତି କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର

ଦିଲ୍ଲୀରେ ଚାଷୀ ଆନ୍ଦୋଳନ: ଅନ୍ନଦାତା ଏବଂ ଦାତାଙ୍କ ମଧ୍ୟରେ ଦୂରତା କେତେ ?

ନୂଆଦିଲ୍ଲୀ, କୃଷକ ଆନ୍ଦୋଳନ ସମଗ୍ର ଦେଶରେ ଏକ ନୂଆ ଧାରା ସୃଷ୍ଟି କରିଛି କି? ଚାଷୀଙ୍କ ଦାବି ପ୍ରକୃତରେ ଯଥାର୍ଥ ନୁହେଁ କି? ଯଦି କୃଷି ଆଇନ କୃଷକଙ୍କ ସ୍ୱାର୍ଥରେ ଅଛି, ତେବେ ଏହାର ସପକ୍ଷରେ କୈଣସି ପ୍ରମୁଖ କୃଷକ ସଂଗଠନ କାହିଁକି ନାହାଁନ୍ତି ? କୃଷକ ଆଇନ ପ୍ରସ୍ତୁତି ସମୟରେ କେନ୍ଦ୍ର ସରକାର ସେମାନଙ୍କୁ ଅଣଦେଖା କରିଥିଲେ କି ? କେନ୍ଦ୍ର ସରକାର ତିନୋଟି କୃଷି ଆଇନର ପ୍ରଣୟନ ପୂର୍ବରୁ ମତାମତ ନେବା ଆବଶ୍ୟକ ନ ଥିଲା କି ? ଏହିପରି ଭିନ୍ନ ଭିନ୍ନ ପ୍ରଶ୍ନ ବର୍ତ୍ତମାନ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବୁଲିବାରେ ଲାଗିଛି। ଦୀର୍ଘ ଏଗାର ଦିନ ଧରି ଦିଲ୍ଲୀରେ କୃଷକମାନେ ଯେପରି ଆନ୍ଦୋଳନ କରୁଛନ୍ତି ତାହା ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଚାଷୀ ଆନ୍ଦୋଳନ ଧିରେ ଧିରେ ତୀବ୍ର ହେଉଥିବାରୁ ସରକାର ଚାଷୀନେତାଙ୍କୁ ଡାକି ବୁଝାମଣା କରିବାକୁ ଚେଷ୍ଠା କରୁଛନ୍ତି। ସେମାନଙ୍କ ଆନ୍ଦୋଳନ ଭଣ୍ଡୁର କରିବାରେ ଚେଷ୍ଠା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା କୃଷକ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଞ୍ଚ ଥର ଆଲୋଚନା ହୋଇସାରିଲାଣି। ତଥାପି ସେହି ଆଲୋଚନାରୁ କୌଣସି ନିର୍ଯ୍ୟାସ ବାହାରିପାରୁ ନାହିଁ। ସରକାର ତାଙ୍କ ଜିଦରେ ଏବଂ କୃଷକମାନେ ତାଙ୍କ ଜିଦ୍ ରେ ଅଟଳ ରହିଛନ୍ତି। ଫଳରେ ଆଲୋଚନା ସଂପୂର୍ଣ୍ଣ ବିଫଳ ହେଉଛି। ଏହାପରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ଆଲୋଚନା ବିଫଳ ହେବା ପରେ ଉଭୟ ସରକାର ଏବଂ ଆନ୍ଦୋଳନକାରୀ ପରବର୍ତ୍ତି ରଣନୀତି ପ୍ରସ୍ତୁତ କଲେଣି। ସରକାର ଗୁପ୍ତଚର ରଖି ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ମଧ୍ୟ ରଖିଛନ୍ତି।

କୃଷକ ବିଲ ପ୍ରତ୍ୟାହାର କରିବାକୁ ସରକାର ମନା କରିବା ପରେ ବର୍ତ୍ତମାନ ଆନ୍ଦୋଳନ ଦୃଢରୁ ଦୃଢ ହେବାରେ ଲାଗିଛି। କୃଷ୍ଣକମାନେ ଟ୍ରାକ୍ଟର, ଟ୍ରଲି ଏବଂ ବଡ ଯାନକୁ ରାସ୍ତାରେ ରଖି ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ମଧ୍ୟ ପରିଣତ କରିଦେଲେଣି। ଦୈନନ୍ଦିନ ଖାଦ୍ୟ ଏବଂ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ ହୋଇ ସାରିଲାଣି। ବୋଧହୁଏ କୃଷକଙ୍କ କ୍ରୋଧ କିମ୍ବା ଏକତାକୁ ଅଣଦେଖା କରିବା ସରକାରଙ୍କ ପାଇଁ ଏକ ବଡ ସମସ୍ୟାରେ ପରିଣତ ହେବ। ଏହା ପରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ। ହୁଏତ ଆନ୍ଦୋଳନ ଭୟଙ୍କର ରୂପ ନେବାର ସମ୍ଭାବନାକୁ ଏଡାଇ ହେବ ନାହିଁ।

ଧିରେ ଧିରେ କୃଷକଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ସମର୍ଥନ ମଧ୍ୟ ମିଳିବାରେ ଲାଗିଛି। ଫଳରେ ଆନ୍ଦୋଳନକାରୀଙ୍କ ମନୋବଳ ମଧ୍ୟ ବଢିବାରେ ଲାଗିଛି। ଅନ୍ୟପଟେ ଦେଶର କଳାକାର, ବୁଦ୍ଧିଜୀବୀମାନେ ସେମାନଙ୍କ ଜାତୀୟ ପୁରସ୍କାର ଫେରାଇବାର ପ୍ରକ୍ରିୟା ଆରମ୍ଭ କରିଦେଲେଣି। ଏହା ମଧ୍ୟ ଏହି ଆନ୍ଦୋଳକୁ ଜୋରଦାର କରିବାରେ ଖୋରାକ ଯୋଗାଉଛି। ସେହିପରି ପଂଜାବ ପରି କେତେକ ରାଜ୍ୟ ମଧ୍ୟ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେବାରେ ଲାଗିଛନ୍ତି। ମୋଟ ଉପରେ କହିବାକୁ ଗଲେ ଏହି ମାମଲା ଧିରେ ଧିରେ ଜଟିଳ ହେବାରେ ଲାଗିଛି।

ଅନ୍ୟପଟେ ଏହି ଆନ୍ଦୋଳନକୁ ଜାତୀୟ ଗଣମାଧ୍ୟମଗୁଡିକ ଧ୍ୟାନ ଦେଉ ନ ଥିବାକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଲାଣି। ଦିଲ୍ଲୀରେ ଏତେ ବଡ ଚାଷୀ ଆନ୍ଦୋଳନ ହେଉଥିବା ବେଳେ  ଜାତୀୟ ଗଣମାଧ୍ୟମରେ ଏହାକୁ ପ୍ରସାରଣ କରୁ ନାହିଁ। ଏପରି ହେୟଜ୍ଞାନ କଭରେଜକୁ ନେଇ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଅର୍ଥାତ୍ EGI ମଧ୍ୟ ଚିନ୍ତିତ ଅଛନ୍ତି। ଚାଷୀମାନଙ୍କ ଆନ୍ଦୋଳକୁ ହେୟକଜ୍ଞାନ କରିବା ଉଚିତ ନୁହେଁ ବୋଲି EGI ଟିପ୍ପଣୀ ଦେଲେଣି। ହେଲେ ମଧ୍ୟ ଟିଭି ଗଣମାଧ୍ୟମରେ ତାହାକୁ ଉପଯୁକ୍ତ ଭାବେ ପ୍ରସାରଣ କରାଯାଉ ନାହିଁ। ଫଳରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଗଣମାଧ୍ୟମର ଏପରି କଭରେଜକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ଜାତୀୟ ଗଣମାଧ୍ୟମ ମୋଦୀଙ୍କ ଗସ୍ତକୁ ଘଣ୍ଟାଘଣ୍ଟା ଧରି ପ୍ରସାରଣ କରୁଥିବା ବେଳେ ଚାଷୀଙ୍କ ପାଇଁ ଏକ ମିନିଟ ମଧ୍ୟ ଦେଉ ନାହାଁନ୍ତି। ଦୁଃଖର କଥା କେତେକ ଗଣମାଧ୍ୟମରେ ଆନ୍ଦୋଳନକାରୀଙ୍କୁ ‘ଖାଲିସ୍ତାନୀ’ ଏବଂ ‘ଜାତୀୟ ବିରୋଧୀ’ ଆନ୍ଦୋଳନ ବୋଲି ପ୍ରସାରଣ କରୁଛନ୍ତି। ଏପରିକି କୌଣସି ପ୍ରମାଣ ନ ଥାଇ ମଧ୍ୟ ଚାଷୀ ଆନ୍ଦୋଳନକୁ କେତେକ ଗଣମାଧ୍ୟମ ବେଆଇନ ବୋଲି କହି ଦେଉଛନ୍ତି। ଫଳରେ ଗଣମାଧ୍ୟମର ଭୂମିକା ନେଇ ଦେଶର ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କଲେଣି।

ତେବେ ସେ ଯାହା ହେଲେ ମଧ୍ୟ ଦିଲ୍ଲୀର ଆନ୍ଦୋଳନ କେତେ ତୀବ୍ର ତାହା ସାରା ଦେଶବାସୀ ଅନୁଭବ କରିସାରିଲାଣି। ଆଉ କୃଷକମାନଙ୍କର ଏହି ଏକତାକୁ ସବୁ ମହଲରେ ମଧ୍ୟ ମାନସିକ ସମର୍ଥନ ଦିଆଯାଉଛି।