ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ, ଏଥର ଆନ୍ଦୋଳନ ହେବ ଜୋରଦାର

Published: Mar 11, 2021, 12:21 pm IST

ନୂଆଦିଲ୍ଲୀ, ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ। ଏ ନେଇ ଅନ୍ୟତମ ଚାଷୀ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହି ଡାକରା ଦେଇଛି। ସେହି ଅନୁସାରେ ଆସନ୍ତା ମାର୍ଚ୍ଚ 26 ତାରିଖରେ ଏହି ଭାରତ ବନ୍ଦ ପାଳନ କରାଯିବ। ଏଥିପାଇଁ ଭାରତର ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା ହୋଇଛି। ସେସବୁ ସଂଗଠନ ଏହି ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂଗଠନ।

ମାର୍ଚ୍ଚ 26 ତାରିଖରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ 4 ମାସ ପୁରିଯାଉଛି। ସେହି ଉପଲକ୍ଷେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ବିଲ କୁ ବର୍ତ୍ତମାନ ଦେଶର ଚାଷୀ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ନୂଆଦିଲ୍ଲୀରେ ଦୀର୍ଘ ତିନିମାସ ଧରି ଆନ୍ଦୋଳନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ଏହି ଚାଷୀ ବିଲକୁ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚାଷୀ ସଂଗଠନ ଚେତାବନି ଦେଇଛି।

ଚାଷୀମାନଙ୍କର ଏହି ଦାବୀ ସଂପର୍କରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ସହିତ ବାରମ୍ବାର ବୈଠକ ବସିଛି। ହେଲେ କୌଣସି ବୈଠକ ଫଳପ୍ରଦ ହୋଇପାରି ନାହିଁ। ଏହି ଆଲୋଚନାରେ ସରକାର ବିଲରେ କେତକ ସଂଶୋଧନ କରିବାକୁ ରାଜି ହୋଇଥିଲେ ମଧ୍ୟ ଚାଷୀ ସଂଗଠନ ଏଥିରେ ରାଜି ହେଉ ନାହାଁନ୍ତି। ସେମାନଙ୍କର ଗୋଟିଏ ଦାବୀ ଏହି ତିନୋଟି ବିଲକୁ ପ୍ରତ୍ୟାହାର କରାଯାଉ।

ଅନ୍ୟପଟେ କେନ୍ଦ୍ର ସରକାର ବର୍ତ୍ତମାନ ବିଲ ପ୍ରତ୍ୟାହାର ନେଇ ରାଜି ହେଉ ନାହାଁନ୍ତି। ଫଳରେ ଚାଷୀ ସଂଗଠନର ଆନ୍ଦୋଳନ ସେହିପରି ଚାଲୁ ରହିଛି। ଏପରିକି ଏହି ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମାଲୋଚନା କରାଯାଉଛି। ଭାରତରେ ମଧ୍ୟ ସମସ୍ତ ବିରୋଧୀ ଦଳ ଚାଷୀ ସଂଗଠନର ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରୁ ନ ଥିବାରୁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ମାର୍ଚ୍ଚ 26 ତାରିଖରେ ଏହି ଆନ୍ଦୋଳନକୁ ଜୋରାଦାର କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି।

Related posts